ମାଟ୍ରିକ ପରୀକ୍ଷା: ନିୟମ ଉଲ୍ଲଘଂନ କାରଣରୁ ୩ ଅଧୀକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ
କପି ପାଇଁ ମୁଲଚାଲ ହେଉଥିବା ଏକ ଅଡିଓ ଭାଇରାଲ ହେଉଥିଲା ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
ଓଏଲ୍ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ପରୀକ୍ଷାର ପ୍ରଥମ ଦିନ ଶେଷ ପରେ ଭାଇରାଲ ହୋଇଥିଲା ଏକ ଭିଡିଓ ଏବଂ ଅଡିଓ। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେବେ ଏହି ମାଟ୍ରିକ ଓ ଏସଓଏସ ପରୀକ୍ଷା ଅନିୟମିତତାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା ଦାୟିତ୍ୱରେ ଥିବା ୩ଜଣ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲା ଡିଇଓ ବିଶ୍ବଜିତ ଘୋଷ।
ଖବର ଅନୁସାରେ, ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ଦିନ ମାଟ୍ରିକ ପରୀକ୍ଷା ସରିବା ପରେ ନିମାପଡ଼ା ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟର ଏକ ଘଟଣା ସାମ୍ନାକୁ ଆସିଥିଲା। କପି ପାଇଁ ମୁଲଚାଲ ହେଉଥିବା ଏକ ଅଡିଓ ଭାଇରାଲ ହେଉଥିଲା ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କ ସମେତ ସବୁ ପରୀକ୍ଷକ ଦାୟିତ୍ବରୁ ହଟିଯାଇଛି। କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ଦାୟିତ୍ବରୁ ହଟିଥିବାବେଳେ ପରୀକ୍ଷା ସରିବା ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ୍ ଆସିବାକୁ ସେମାନଙ୍କୁ ବାରଣ କରାଯାଇଛି। କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣି ଚାକିରିରୁ ନିଲମ୍ବିତ ହୋଇଥିବାବେଳେ ତାଙ୍କ ମୋବାଇଲ୍ ଅନ୍ ଥିବାରୁ ଡିଇଓ ନିଲମ୍ବନ କରିଥିବା ଜଣା ପଡିଛି। ପରୀକ୍ଷାରେ ଅନିୟମିତତା ପାଇଁ ଉଭୟ ଅଧୀକ୍ଷକଙ୍କୁ ବଦଳା ଯାଇଥିବା କହିଛନ୍ତି ଡିଇଓ।