Odisha Link
Bridging the Missing Links in Odisha

କର୍ଣ୍ଣାଟକ ବିଜେପିରେ ହଟଚମଟ, ୟେଦ୍ୟୁରପ୍ପାଙ୍କୁ ବିରୋଧ କଲେ ବିଜେପି କର୍ମୀ

ଓଏଲ୍‌ ବ୍ୟୁରୋ: ଆଗାମୀ ଦିନରେ କର୍ଣ୍ଣାଟକରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନଜରରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା। ବିଶେଷ କରି ଭାରତୀୟ ଜନତା ପାର୍ଟି ନିଜ ଗଡ଼ କିଭଳି ପୁଣିଥରେ ବଞ୍ଚେଇ ରଖିବ ସେ ନେଇ କରୁଛି ବ୍ୟାପକ ପ୍ରସ୍ତୁତି। ବିରୋଧୀ କଂଗ୍ରେସ ଓ ଜନତା ଦଳ ମଧ୍ୟ ବିଜେପିକୁ ଚେକ୍‌ ମେଟ ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି। ଏସବୁ ମଧ୍ୟରେ ବିିଜେପିର କଳି ପଦାରେ ପଡ଼ିଛି।

କର୍ଣ୍ଣାଟକ ବିଜେପିର ଭୀଷ୍ମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବିଜେପି ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ନିଜ ଦଳର କର୍ମୀ ଓ ନେତାମାନେ ଜୋରଦାର ବିରୋଧ କରିଛନ୍ତି ବିଜେପିର ଶତାଧିକ କର୍ମୀ ତାଙ୍କୁ ଘେରାଉ କରିବାରୁ ସେ ବାଧ୍ୟ ହୋଇ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରି ଘରକୁ ଫେରି ଯାଇଛନ୍ତି। ଚିକ୍କାମାଙ୍ଗାଲୁରୁ ଜିଲ୍ଲାରେ ଏପରି ଘଟଣା ଘଟିଛି।

କିଛି ଦିନ ତଳେ ନିର୍ବାଚନରେ ଆଉ ଭାଗ ନେବେ ନାହିଁ କିନ୍ତୁ ବିଜେପି ପାଇଁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ବୋଲି ଘୋଷଣା କରିଥିଲେ ୟେଦ୍ୟୁରପ୍ପା। ତଥାପି ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଜନତା। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୁଅ ବିୱାଇ ବିଜୟେନ୍ଦ୍ର ଶିକାରିପୁରାରୁ ଲଢ଼ିବେ ବୋଲି ନିଜେ ୟେଦ୍ୟୁରପ୍ପା ଘୋଷଣା କରିଥିଲେ। ତେବେ ପୁଅ ପାଇଁ ଲବି କରୁଥିବା ୟେଦ୍ୟୁରପ୍ପାଙ୍କ ଏପରି ଘୋଷଣାକୁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ଅଗ୍ରାହ୍ୟ କରି ଦେଇଥିଲେ। ତଥାପି ୟେଦ୍ୟୁରପ୍ପା ନିଜ ଘୋଷଣାରେ ଅଟଳ ରହିବାକୁ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ।

ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ ଯୋଗଦେବାକୁ ଆଜି ୟେଦ୍ୟୁରପ୍ପା ମୁଦିଗେରେ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ। ଏତିକି ବେଳେ ସିଟି ରବିଙ୍କ ଗୋଷ୍ଠୀର ଶତାଧିକ ବିଜେପି କର୍ମୀ ଓ ସମର୍ଥକମାନେ ୟେଦ୍ୟୁରପ୍ପାଙ୍କୁ ଘେରି ଯାଇଥିଲେ।ସେମାନେ ତାଙ୍କ କାରକୁ ଘେରି ଯାଇ ମୁଦିଗେରେରରୁ ଯେମିତି ବିଧାୟକ ଏମପି କୁମାରାସ୍ୱାମୀଙ୍କୁ ବିଜେପି ଟିକେଟ ନ ଦେବ, ସେନେଇ ଦାବି କରିଥିଲେ। ଏହାକୁ ଦେଖି ୟେଦ୍ୟୁରପ୍ପା ଅସନ୍ତୋଷ ପ୍ରକାଶ କରିବା ସହ ରାଗରେ ଯାତ୍ରାରେ ଭାଗ ନ ନେଇ ସେଠାରୁ ଚାଲି ଯାଇଥିଲେ।

Leave A Reply

Your email address will not be published.