୩ ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଓଏଲ୍ ବ୍ୟୁରୋ: ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ। ଆଗାମୀ ୩ ମାସ ଡ୍ରାଇଭର ଏକତା ମହାସଂଘର ଦାବି ସମାଧାନ ହେବ। ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲା ପରେ ନିଆଗଲା ନିଷ୍ପତ୍ତି।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟରୁ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡ଼ିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାପରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଦୁଇ ଦିନ ଧରି ଜାରି ରଖିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି।