ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ, ସରିବାକୁ ବସିଲାଣି ତେଲ ଟାଙ୍କିର ଷ୍ଟକ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦ୍ବିତୀୟ ଦିନରେ ପହଁଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଭାବିତ ହେଉଛି ଜନଜୀବନ। ଏପରିକି ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ ଟାଙ୍କିରୁ ପେଟ୍ରୋଲ, ଡିଜେଲ ଉଭାନ ହେବାକୁ ଲାଗିଲାଣି। ବିଭିନ୍ନ ପମ୍ପରେ ଦେଖିବାକୁ ମିଳିଲାଣି ତେଲର ଅଭାବୀ ବିକ୍ରି। ଏପରିକି ସକାଳୁ ଟାଙ୍କିମୁହାଁ ହୋଇଥିବା ବହୁ ଲୋକ ତେଲ ନ ଥିବାରୁ ନିରାଶ ହୋଇ ଫେରିଛନ୍ତି।
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଆସିପାରୁନି ତେଲ ଟ୍ୟାଙ୍କର ଗାଡ଼ି। ୨ ହଜାରରୁ ଅଧିକ ଟ୍ୟାଙ୍କର ଗାଡି ଅଟକି ରହିଛି। ପରିବହନ ସ୍ୱାଭାବିକ ନହେଲେ ଆମ୍ବୁଲାନ୍ସ, ଅଗ୍ନିଶମ , ପୁଲିସ ଗାଡି ମଧ୍ୟ ତେଲ ଅଭାବରୁ ଚାଲିପାରିବନ । ଏହିଭଳି ଆନ୍ଦୋଳନ ଆଗ୍କୁ ଜାରି ରହିଲେ ଖୁବଶୀଘ୍ର ସରିଯିବ ପେଟ୍ରୋଲ ଓ ଡିଜେଲ ବୋଲି ପେଟ୍ରୋଲ ଡିଲର ସଂଘ କହିଛି।
ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍ ଜନସାଧାରରଣଙ୍କୁ ଅନୁରୋଧ କରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଯେଉଁ ସ୍ଥିତି ଚାଲିଛି ତାକୁ ନଜରରେ ରଖି ଆବଶ୍ୟକ ନଥିଲେ ଅଧିକ ପେଟ୍ରୋଲ କିଣନ୍ତୁ ନାହିଁ। ଯଦି ଏପରି ହୁଏ ତେବେ ଖୁବ୍ ଶୀଘ୍ର ସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ବି ସେ ଚେତାବନୀ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ପେଟ୍ରୋଲ ଟାଙ୍କି ମାଲିକ ବି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ସରକାର ଖୁବ୍ ଶୀଘ୍ର ଏହାର ସମାଧାନ କରିବା ଉଚିତ ବୋଲି କହିଛନ୍ତି।