ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସରକାରୀ ଜମିରେ ଘର ଉଚ୍ଛେଦ କାମ ବନ୍ଦ
ଉଚ୍ଛେଦ ହେଉଥିବା ଘରର ଜଣେ ମହିଳା ତାଙ୍କ ଘର ଉଚ୍ଛେଦ ନକରିବାକୁ ବହୁତ ଅନୁରୋଧ କରିଥିଲେ।

ଓଏଲ୍ ବ୍ୟୁରୋ: ବୌଦ୍ଧରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବାଉଁଶୁଣୀ ଛକ ନିକଟରେ ସରକାରୀ ଜମିରେ ଥିବା ଘର ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।
ଖବର ଅନୁସାରେ, ସରକାରୀ ଜମିରେ ଘର କରିଥିବା ବ୍ୟକ୍ତିଙ୍କ ଘର ଉଚ୍ଛେଦ କାର୍ଯ୍ୟ ଅନେକ ସ୍ଥାନରେ ଜାରି ରହିଛି। ତେବେ ଏହାରି ମଧ୍ୟରେ ବୌଦ୍ଧ ବାଉଁଶୁଣୀ ଛକ ନିକଟରେ ସରକାରୀ ଜମିରେ ବେଆଇନ ଘର କରିଥିବା ଜଣେ ବ୍ୟକ୍ତିଙ୍କ ଘର ଉଚ୍ଛେଦ ହେଉଥିଲା। ଉଚ୍ଛେଦ ହେଉଥିବା ଘରର ଜଣେ ମହିଳା ତାଙ୍କ ଘର ଉଚ୍ଛେଦ ନକରିବାକୁ ବହୁତ ଅନୁରୋଧ କରିଥିଲେ। ଅନୁରୋଧ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ମହିଳା ଜଣକ ଚରମ ପଦକ୍ଷେପ ନେଇଥିବା ଜଣା ପଡିଛି। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉଚ୍ଛେଦ କାମ ବନ୍ଦ ହୋଇଥିବା ଜଣା ପଡିଛି।