ଶେଷ ହେଲା ମାଟ୍ରିକ ପରୀକ୍ଷା, ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ମୂଲ୍ୟାୟନ
୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯିବ।

ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଆଜି ଅର୍ଥାତ ମାର୍ଚ୍ଚ ୨୦ରେ ଶେଷ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା। ତେବେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ନେଇ ସୂଚନା ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯିବ। ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ତେବେ ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ଅନ୍ୟପଟେ, କେତେକ ପରୀକ୍ଷା କେନ୍ଦ୍ରରେ ଅନିୟମତିତା ଦେଖିବାକୁ ମିଳଥିଲା। ତେବେ ଏନେଇ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ମାଟ୍ରିକ ପରକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ସୂଚନା ଅନୁସାରେ, ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ବୀକାର କରିଥିଲା ବୋର୍ଡ। ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ଅଭିଯୋଗ ମାନିବା ସହ ବୋର୍ଡ ସଭାପତି ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି କହିଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଥିଲେ ବୋର୍ଡ ସଭାପତି। କ’ଣ ପାଇଁ ତ୍ରୁଟି ହୋଇଛି ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ସୂଚନା ଦେଇଥିଲେ ବୋର୍ଡ ସଭାପତି ରାମଶିଷ ହାଜରା। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଥିଲା ବୋର୍ଡ। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ତେବେ ପ୍ରଶ୍ନପତ୍ର ଲିକ ହେବାକୁ ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି।