ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ; ରୋଗୀ ମୃତ,୩ ଆହତ
ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି।
ଓଏଲ୍ ବ୍ୟୁରୋ: ଆଜି ସକାଳେ ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ ଘଟିଥିବା ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଜନକ ମନହିରା ରାୟପୁରର ବାଲାଜି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ସେ ନିଜ ଗାଁ ଧରଣିମାଲକୁ ଫେରୁଥିଲେ। ଆଜି ସକାଳେ ଜନକ ମନହିରା ନିଜର ଦୁଇ ସମ୍ପର୍କୀୟଙ୍କ ସହ ଧରଣିମାଲ ଆସୁଥିବା ବେଳେ ବିରେଶକେଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜନକ ମନହିରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଆହତ ହୋଇଥିଲେ।