ଏକାସଙ୍ଗେ ମହାକାଶକୁ ଇସ୍ରୋ ପଠାଇଲା ୩୬ ସାଟେଲାଇଟ୍
ଓଏଲ୍ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ଦମ୍। ପୁଣିଥରେ ଆଉ ଏକ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)। ମହାକାଶରେ ସବୁଠୁ ଲମ୍ବା ଡିଆଁ ମାରିଲା ଇସ୍ରୋ। ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ଏକାସଙ୍ଗେ ୩୬ ସାଟେଲାଇଟ୍ ପଠାଇଛି ଇସ୍ରୋ। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ ହୋଇଛି।
ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ୩୬ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଛି।
LVM3 ରକେଟର ଓଜନ ୬୪୩ ଟନ୍ ରହିଥିବା ବେଳେ ୪୩.୫ ମିଟର ଉଚ୍ଚ ରହିଛି। ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରାଯାଇଥିଲା।
ୱାନ୍ୱେବ୍ର ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି। କମ୍ପାନୀ କହିଛି ଯେ ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।