ସଦସ୍ୟତା ଯିବା ପରେ ଟ୍ବିଟର ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ, ଲେଖିଲେ ଏହା…
ଓଏଲ୍ ବ୍ୟୁରୋ: ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍-ପାର୍ ମୁଡ୍ରେ ରହିଛି। କଂଗ୍ରେସ ଦଳ ଏବେ କୋର୍ଟ ସମେତ ଏବେ ରାସ୍ତା ଉପରକୁ ଓହ୍ଲାଇଛି। ଏସବୁ ମଧ୍ୟରେ ସଦ୍ୟସତା ଯିବା ପରେ ରାହୁୁଲ ନିଜ ଟ୍ବିଟର ବାୟୋ ବଦଳାଇଛନ୍ତି। ବର୍ତ୍ତମାନ ରାହୁଲ ତାଙ୍କ ବାୟରୋ ଡିସ୍କ୍ବାଲିଫାଏଡ୍ ଏମ୍ପି ଲେଖିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନ୍ୟପଟେ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ ସଂକଳ୍ପ ସତ୍ୟାଗ୍ରହ ଆରମ୍ଭ କରିଛି। ଆଜି ସକାଳୁ କଂଗ୍ରେସର ବରିଷ୍ଟ ନେତାମାନେ ରାଜଘାଟର ମହାତ୍ମା ଗାନ୍ଧୀଙ୍କ ସମାଥି ସ୍ଥଳରେ ସଙ୍କଳ୍ପ ସତ୍ୟାଗ୍ରହ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ଅନୁମତି ମିଳିନାହିଁ।
କଂଗ୍ରେସ କରିଥିବା ଅନୁରୋଧକୁ ଆଇନ-ଶୃଙ୍ଖଳା କାରଣ ଦର୍ଶାଇ ଅଗ୍ରାହ୍ୟ କରାଯାଇଥିଲେ ବି ରାଜଘାଟ ସମ୍ମୁଖରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତା କେ.ସି. ବେଣୁଗୋପାଳ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସତ୍ୟାଗ୍ରହର ନେତୃତ୍ୱ ନେଇଛନ୍ତି। ଗାନ୍ଧୀ ଦର୍ଶନ ମଞ୍ଚରେ କଂଗ୍ରେସର ସମସ୍ତ ନେତା କର୍ମୀ ଏକାଠି ହୋଇଛନ୍ତି, ଏହା ରାଜଘାଟ ପାଶ୍ୱର୍ରେ ହିଁ ରହିଛି।
ସୂଚନାଥାଉକି,, ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ଦାଏର ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହି ମାମଲାରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧିଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ଅନ୍ୟପକ୍ଷେ, ଏହି ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୩୦ ଦିନ ପାଇଁ ଜାମିନ ମିଳିସାରିଥିଲା। ହେଲେ ବର୍ତମାନ ତାଙ୍କ ଲୋକସଭା ସାଂସଦ ପଦବୀ ଚାଲିଯାଇଥିବା ଜଣା ପଡିଛି। ପଦବୀ ଚାଲି ଯିବା ପରେ କଂଗ୍ରେସ କର୍ମୀମାନେ ବିଭିନ୍ନ ଜାଗାରେ ଏହାକୁ ବିରୋଧ କରୁଛନ୍ତି।
ଗତକାଲି ସାମ୍ବାଦିକ ସମ୍ମଳନୀ କରି ରାହୁଲ କହିଥିଲେ ଯେ, ବାରମ୍ବାର କହିଛି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି। ଏନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ମିଳିଛି। ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି। ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ନୂଆ ନୁହେଁ, ବହୁ ପୁରୁଣା ବୋଲି କହିଥିଲେ ରାହୁଲ ଗାନ୍ଧୀ।ସେ ଆହୁରି ମଧ୍ୟ କହିଥିଲେ, ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ ସଂସଦରେ ପ୍ରଶ୍ନ କରିଥିଲି। ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା। ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ। ମୋତେ କହିବାକୁ ସୁଯୋଗ ଦିଆଗଲାନି ବୋଲି କହିଥିଲେ ରାହୁଲ ଗାନ୍ଧୀ।
ମୁଁ ପ୍ରଶ୍ନ କରିବି, ମୋତେ କେହି ଡରାଇ ପାରିବେନି। ଡରାଇ, ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେନି ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ରାହୁଲ ଗାନ୍ଧୀ। ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢୁଛି, ଚୁପ୍ କରିପାରିବେନି। ମୋ ପରବର୍ତ୍ତୀ ଭାଷଣକୁ ଡରି ମୋ ପଦ ରଦ୍ଦ କରାଗଲା। ଏ ଦେଶ ମୋତେ ବହୁତ କିଛି ଦେଇଛି, ଦେଶ ପାଇଁ ଲଢ଼ିବି। ଭାରତର ନ୍ୟାୟ ବ୍ୟବସ୍ଥାକୁ ମୁଁ ସମ୍ମାନ ଜଣାଉଛି ବୋଲି କହିଥିଲେ ରାହୁଲ ଗାନ୍ଧୀ।