ରହସ୍ୟରେ ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କ ମୃତ୍ୟୁ
କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଏଲ୍ ବ୍ୟୁରୋ : ଗତକାଲି ରାତିରେ ବଲାଙ୍ଗୀର ସୁଦପଡ଼ା ସ୍ଥିତ ମାମୁଘରୁ ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତଶରୀରର ବେକରେ ଲାଗିଥିଲା ବ୍ଲୁଟୁଥ୍। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ବିବାଦରୁ ସେ ସୁଇସାଇଡ କରିଥିବା ସନ୍ଦେହ କରାଯାଉଛି। ତେବେ ଏହାରି ମଧ୍ୟରେ ରୁଚିସ୍ମିତାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ମା’ ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବାପା ମାଙ୍କ ପ୍ରତିକ୍ରିୟାରେ ତାଳମେଳ ରହୁ ନଥିବାରୁ ଘଟଣାଟି ଆହୁରି ରହସ୍ୟ ମଧ୍ୟକୁ ଠେଲି ହୋଇଯାଉଥିବା କୁହାଯାଉଛି।
ଝିଅ ଚାପରେ ଥିବା ବାପା ଗଣମାଧ୍ୟମ ଆଗରେ କହୁଥିବା ବେଳେ ସାମାନ୍ୟ କଳହ ଯୋଗୁଁ ଝିଅ ଏପରି ପଦକ୍ଷେପ ନେଇଛି ବୋଲି ମା’ କହିଛନ୍ତି। ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସମ୍ବଲପୁରୀ ଆଲବମ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ରୁଚିସ୍ମିତା ଗୁରୁ। କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖବର ଅନୁସାରେ, ବଲାଙ୍ଗୀର ତାଲପାଳିପଡାରେ ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କର ଘର। ତାଙ୍କ ବାପା ସୋନପୁରରେ ଚାକିରି କରୁଛନ୍ତି। ସମ୍ବଲପୁରୀରେ ଅନେକ ଗୀତ ଗାଇବା ସହିତ ଏକାଧିକ ଆଲବମରେ ଅଭିନୟ କରିଛନ୍ତି ରୁଚିସ୍ମିତା। ଗତ ଦୁଇବର୍ଷ ତଳେ ରୁଚିସ୍ମିତାଙ୍କ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ। ତେବେ ସୁଇସାଇଡ ପଛର ପ୍ରକୃତ କାରଣ କଣ ତାହା ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।