‘ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧି ଆଇନ ଊର୍ଦ୍ଧ୍ୱରେ, କିଛି କହିବାର ନାହିଁ’
୫୧ର ଆକ୍ଟ ସଂଶୋଧନ ପାଇଁ ମନମୋହନ ସିଂ ଚାହୁଁଥିଲେ।
ଓଏଲ୍ ବ୍ୟୁରୋ : ସୋମବାର ଆରମ୍ଭ ହୋଇଛି ବିଧାନସଭା କାର୍ଯ୍ୟକାଳ। ହେଲେ ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ଚାଲିପାରିଲାନି ପ୍ରଶ୍ନକାଳ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଦସ୍ୟତା ପଦ ରଦ୍ଦ ନେଇ ଗୃହରେ ନାରାବାଜୀ କରିିଥିଲେ କଂଗ୍ରେସ ବିଧାୟକ। ଯାହାଫଳରେ ଗୋଟିଏ ମିନିଟ୍ ବି ଚାଲିପାରିନଥିଲା ଗୃହକାର୍ଯ୍ୟ। ଯାହା ଦ୍ୱାରା ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ତେବେ କଂଗ୍ରେସର ହଟ୍ଟଗୋଳକୁ ନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି। ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧି ଆଇନ ଊର୍ଦ୍ଧ୍ୱରେ,କିଛି କହିବାର ନାହିଁ। ୫୧ର ଆକ୍ଟ ସଂଶୋଧନ ପାଇଁ ମନମୋହନ ସିଂ ଚାହୁଁଥିଲେ। ଏନେଇ ନିଜେ ରାହୁଲ ଅର୍ଡିନାନ୍ସ ପ୍ରସ୍ତାବ ଚିରିଥିଲେ, ଏବେ ନିଜେ ପଡ଼ିଛନ୍ତି ବୋଲି ଖାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ଖବର ଅନୁସାରେ, ବିଧାନସଭାକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଥିଲେ କଂଗ୍ରେସ ବିଧାୟକ। ଗୃହ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲାରେ କମ୍ପିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଫଳରେ ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଗୃହ କାର୍ୟ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକ। ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ସମ୍ବୋଧନ କରି ହୋହାଲ୍ଲା କରିଥିଲେ। ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା ଗୃହକାର୍ଯ୍ୟ।