ରାଜ୍ୟରେ ୧ ହଜାର ଶୀତଳୀକରଣ ଗୃହ ନିର୍ମାଣ କରାଯିବ: କୃଷି ମନ୍ତ୍ରୀ
ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି।

ଓଏଲ୍ ବ୍ୟୁରୋ : ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ-ଶାସକଦଳ ଗୃହରେ ପ୍ରଶ୍ନକାଳରେ ପ୍ରସଙ୍ଗ ରଖିଛନ୍ତି। ତେବେ ଏହାରି ମଧ୍ୟରେ ଶୀତଳ ଭଣ୍ଡାର କଥାକୁ ନେଇ ଗୃହରେ ବିବୃତି ରଖିଥିଲେ କୃଷି ମନ୍ତ୍ରୀ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ, ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି। ତେବେ ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବାକୁ ସମ୍ଭବ ନୁହେଁ। ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ବ୍ୟୟବହୁଳ ଅଟେ। ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।
ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ, ରାଜ୍ୟରେ ନୂଆ କରି ୧୦୦୦ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା ହୋଇଛି। ଯାହାକି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱଂୟ ସହାୟକ ଗୋଷ୍ଟିଙ୍କ ପରିଚାଳନାରେ ଏହି ଶୀତଳିକରଣ ଗୃହ ଚାଲିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି। ସେହିପରି ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର। ଯେଉଁଥିରେ ଚାଷୀମାନେ ତାଙ୍କ ଅମଳ ହୋଇଥିବା ପନିପରିବା କିଛି ଦିନ ପର୍ଯ୍ୟନ୍ତ ରଖିପାରିବେ। ଏହାକୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।