ସାହାରା ଇଣ୍ଡିଆରେ ଟଙ୍କା ଜମାକାରୀଙ୍କୁ ବଡ଼ ଆଶ୍ବସ୍ତି, ଫେରସ୍ତ ପାଇବେ ଟଙ୍କା
ଜବତ ହୋଇଥିବା ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ।

ଓଏଲ୍ ବ୍ୟୁରୋ : ସାହାରା ଇଣ୍ଡିଆରେ ଟଙ୍କା ଜମାରଖିଥିବା ଲୋକମାନଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ସାହାରା ଇଣ୍ଡିଆରେ ଟଙ୍କା ଜମା କରିଥିବା ଜମାକାରୀ ସେମାନଙ୍କର ବର୍ଷ ବର୍ଷ ଧରି ଫସି ରହିଥିବା ଟଙ୍କା ଫେରସ୍ତ ପାଇବେ। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ ଜବତ ହୋଇଥିବା ୨୪ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦୦ କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ।
ଖବର ଅନୁସାରେ, ଗତ ୨୦୧୨ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ସାହାରା ଗ୍ରୁପର ଦୁଇଟି କମ୍ପାନି ସାହାରା ଇଣ୍ଡିଆ ରିଅଲ୍ ଇଷ୍ଟେଟ୍ କର୍ପୋରେସନ୍ ଏବଂ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ୍ ଲିମିଟେଡକୁ ନିବେଶକଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏସ୍କ୍ରୋ ଆକାଉଣ୍ଟ୍ ଖୋଲାଯାଇଥିଲା। ଏହା ଅଧୀନରେ ୨୪ ହଜାର କୋଟି ଟଙ୍କା ଜମା କରାଯାଇଥିଲା। ସେହି ଆକାଉଣ୍ଟରୁ ଜମା ହୋଇଥିବା ଟଙ୍କା ନିବେଶକଙ୍କୁ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଜଷ୍ଟିସ୍ ଏମ୍ ଆର୍ ଶାହା ଓ ଜଷ୍ଟିସ୍ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ସାହାରା ଗ୍ରୁପ୍ ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଏହି ଅର୍ଥ ବଣ୍ଟନ କରାଯିବ। ଟଙ୍କା ଫେରସ୍ତ ପ୍ରକ୍ରିୟା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀ ନଜର ରଖିବେ। ବିଗତ ଅନେକ ବର୍ଷ ଧରି ଏହି ଟଙ୍କା ଅଟକି ରହିଥିବା ବେଳେ ସାଧାରଣ ଜମାକାରୀମାନେ ଗଭୀର ମାନସିକ ଚାପ ମଧ୍ୟରେ ଗତି କରୁଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସେମାନଙ୍କ ପାଇଁ ବଡ଼ ଆଶ୍ବସ୍ତି ଆଣିଦେଇଛି।