ଉତ୍କଳ ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି।

ଓଏଲ୍ ବ୍ୟୁରୋ: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦିଆଯାଇଛି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
କାଳିଆ ସହାୟତା ପ୍ରଦାନ କରିବା ସହ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡି ହୋଇରହିଛି। ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି, ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ଫସଲ ବିବିଧକରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ, କାଳିଆ ଯୋଜନା ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିଛି। ଚାଷ ପାଇଁ ଧାର ଉଧାରରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି।ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାର ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।