କ୍ରିକେଟ୍ ଖେଳକୁ ନେଇ ତୁମୁଳକାଣ୍ଡ, ଯୁବକଙ୍କୁ ହତ୍ୟା ପରେ ୪ ଅଭିଯୁକ୍ତ ଗିରଫ
୪ ଅଭିଯୁକ୍ତ ସାବାଳକ ହୋଇଥିବାବେଳେ ତାଙ୍କ ମଧ୍ୟରୁ ଜଣଙ୍କ ନାଁ ରେ ପୂର୍ବରୁ ବହୁ ମାମଲା ରହିଥିବା ସୂଚନା ମିଳିଛି
ଓଏଲ୍ ବ୍ୟୁରୋ: ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ଖେଳାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। କ୍ରିକେଟ୍ ଖେଳ କଳିକୁ ନେଇ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ କରିବା ପରେ ପୁଲିସ ପଚରାଉଚରା କରୁଥିବାବେଳେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ହଠାତ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ସାବାଳକ ହୋଇଥିବାବେଳେ ତାଙ୍କ ମଧ୍ୟରୁ ଜଣଙ୍କ ନାଁ ରେ ପୂର୍ବରୁ ବହୁ ମାମଲା ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତକାଲି ଚୌଦ୍ବାର ଥାନା ଅନ୍ତର୍ଗତ ମହିଷାଲଣ୍ତାଠାରେ କ୍ରିକେଟ୍ ଖେଳ କଳିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଅମ୍ପାୟାର୍ଙ୍କ ସିଗ୍ନାଲକୁ ନେଇ ଦୁଇପକ୍ଷ ମଧ୍ୟରେ ମାଡ଼ପିଟ୍ ହୋଇ ଏଭଳି ଘଟିଥିଲା। ଘଟଣାର ୪ଜଣ ଅଭିଯୁକ୍ତଙ୍କ ଭିତରୁ ଜଣକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ଜଣ ଫେରାର୍ ହୋଇଯାଇଥିଲେ। ମହିଷାଲଣ୍ତା ଗ୍ରାମ ମହାବଳୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଶଙ୍କରପୁର ଓ ଡାଳିଯୋଡ଼ା ବ୍ରହ୍ମପୁର ମଧ୍ୟରେ ସେମି-ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା।
ଶଙ୍କରପୁର ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ଜବାବରେ ଡାଳିଯୋଡ଼ା ବ୍ରହ୍ମପୁର ଟିମ୍ ପଡ଼ିଆକୁ ଓହ୍ଲାଇଥିବା ବେଳେ ପ୍ରଥମ ବଲ୍ରେ ଜଣେ ଖେଳାଳି ଆଉଟ୍ ହୋଇଯାଇଥିଲେ। ଅମ୍ପାୟାର୍ ପ୍ରୀତିରଂଜନ ସାମଲ ‘ଆଉଟ୍ ସିଗ୍ନାଲ୍ ଦେଇଥିବା ବେଳେ ତାକୁ ଡାଳିଯୋଡ଼ା ବ୍ରହ୍ମପୁର ଖେଳାଳିମାନେ ମାନି ନଥିଲେ। ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଜଗା ରାଉତ ନାମକ ଜଣେ ଖେଳାଳି ପଡ଼ିଆ ମଧ୍ୟକୁ ପ୍ରବେଶ କରି ଗାଳିଗୁଲଜ କରିଥିବା ବେଳେ ବାଦଲ କୈବୁତୁଲ୍ ନାମକ ଅନ୍ୟ ଜଣେ ଖେଳାଳି ଅମ୍ପାୟାର୍ଙ୍କୁ ଆକ୍ରମଣ କରିଥିଲେ।
ମ୍ୟାଚ୍ ଆୟୋଜନ କମିଟିର ଜଣେ ଯୁବକ ମହିଷାଲଣ୍ତା ଗ୍ରାମର ଲକି ରାଉତ ପଡ଼ିଆ ମଧ୍ୟକୁ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୁତ୍ତ କିଛି ନ ବୁଝି ଛୁରି ଓ ବ୍ୟାଟ୍ ସାହାଯ୍ୟରେ ଲକି ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଲକି ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଗ୍ରାମବାସୀମାନେ ଲକିଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଇବା ସହ ଆକ୍ରମଣ କରିଥିବା ୪ ଯୁବକଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟ ୩ ଆକ୍ରମଣକାରୀ ସେଠାରୁ ଖସି ପଳାଇଥିଲେ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ବ୍ରହ୍ମପୁର ଗ୍ରାମର ରାଜା, ସ୍ମୁତି ଓରଫ ମୁନା, ସଞ୍ଜୟ ଓରଫ ମୁଗୁନି ଓ ବାଦଲ।ମୁଖ୍ୟ ଅଭିଯୁକ୍ତ ହେଉଛି ମୁନା। ଏସସିବି ମେଡିକାଲରେ ଲକି ରାଉତର ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।