ବଲାଙ୍ଗିର ନକଲି ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚର ତନାଘନା
ଗିରଫଦାରୀ ସଂଖ୍ୟା ବହୁତ ବଢ଼ିବ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଏସ୍ପି।
![](https://www.odishalink.com/wp-content/uploads/2023/04/fake-750x430.jpg)
ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରିମାଣ୍ଡରୁ ବହୁତ ତଥ୍ୟ ମିଳିଛି। ଗିରଫଦାରୀ ସଂଖ୍ୟା ବହୁତ ବଢ଼ିବ ବୋଲି କହିଲେ କ୍ରାଇମବ୍ରାଞ୍ଚ ଡିଏସ୍ପି।
ଖବର ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟାଲ ଅଧୀକ୍ଷକଙ୍କ ସହ ଆଲୋଚନା ଜାରି କରିଥିଲା। ପୂର୍ବରୁ ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ, କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମ୍ନାକୁ ଆସିଥିଲା। କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା। ନକଲି ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ଓ ତାଙ୍କ ସହଯୋଗୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଏସବୁ ଭିତରେ ମନୋଜଙ୍କ ସହ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଥିଲା। ତେବେ ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି।