କାଲିଠୁ ସକାଳୁଆ ସ୍କୁଲ, ବିଜ୍ଞପ୍ତି ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ।
ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ସକାଳୁଆ ସ୍କୁଲ। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏପ୍ରିଲ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ୨୦୨୩-୨୪ ଶିକ୍ଷା ବର୍ଷ। ସେହିପରି ୩ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସ୍କୁଲଗୁଡ଼ିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗାଇ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଯତ୍ନବାନ ହେବେ। ଏପରିକି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ସ୍କୁଲ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।