ଫେକ୍ ସାର୍ଟିଫିକେଟ ମାମଲାରେ ଗିରଫଦାରୀ ପାଇଁ ନିର୍ଦ୍ଦେଶକୁ ଅପେକ୍ଷା: ଡିଏସ୍ପି
ଯାହା ପ୍ରମାଣ ସଂଗ୍ରହ କରିବା କଥା ପ୍ରାୟ କରାଯାଇଛି ବୋଲି ଡିଏସ୍ପି କହିଛନ୍ତି।
![](https://www.odishalink.com/wp-content/uploads/2023/04/fak.jpg)
ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗିର ଫେକ୍ ସାର୍ଟିଫିକେଟ ମାମଲାରେ ତଦନ୍ତ ଭଲ ଗତିରେ ଚାଲିଛି ବୋଲି କହିଛନ୍ତି ଡିଏସ୍ପି ଦେବବ୍ରତ ଚକ୍ର। ଯାହା ପ୍ରମାଣ ସଂଗ୍ରହ କରିବା କଥା ପ୍ରାୟ କରାଯାଇଛି ବୋଲି ଡିଏସ୍ପି କହିଛନ୍ତି। ଗିରଫଦାରୀ ପାଇଁ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ଡିଏସ୍ପି ଦେବବ୍ରତ ଚକ୍ର କହିଛନ୍ତି।
ଖବର ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟାଲ ଅଧୀକ୍ଷକଙ୍କ ସହ ଆଲୋଚନା ଜାରି କରିଥିଲା। ପୂର୍ବରୁ ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ, କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମ୍ନାକୁ ଆସିଥିଲା। କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା।
ନକଲି ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ଓ ତାଙ୍କ ସହଯୋଗୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ପରେ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଉ ୪ଜଣଙ୍କୁ ଅଟକ ରଖି ତଦନ୍ତ ଜାରି କରିଛି ପୁଲିସ। ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି। ଜାଲ୍ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିବା ଏହି ବ୍ୟକ୍ତିମାନେ ଯାଞ୍ଚ ସମୟରେ ଧରାପଡ଼ିଥିଲେ।