Odisha Link
Bridging the Missing Links in Odisha

ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍‌ ହେବନି: ଶକ୍ତି ମନ୍ତ୍ରୀ

ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିବାବେଳେ ଏ ବର୍ଷ ପାୱାର କଟ୍‌ ହେବନି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍‌ ହେବନି। ଗ୍ରାମାଞ୍ଚଳରେ ବି ବିଜୁଳି କାଟ୍‌ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ଯାଉଥିବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି। ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ଅନ୍ୟପକ୍ଷେ, ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି।

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରାଯିବ। ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଖରାପ ନଳକୂପର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ।

ଓଆରଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ। ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

Leave A Reply

Your email address will not be published.