ମୋଦୀଙ୍କୁ ଚିଠି ଲେଖିଲେ ୟୁକ୍ରେନ ରାଷ୍ଟ୍ରପତି
ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି।
ଓଏଲ୍ ବ୍ୟୁରୋ: ଯୁଦ୍ଧରେ କ୍ଷତିଗ୍ରସ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସହାୟତା ପାଇଁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି। ଏହି ଚିଠିକୁ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଜାଫାରଭା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀଙ୍କ ପାଖକୁ ପଠାଇଛନ୍ତି। ଚିଠିରେ ୟୁକ୍ରେନକୁ ମାନବୀୟ ସହାୟତା ପଠାଇବାକୁ ଜେଲେନସ୍କି ଅନୁରୋଧ କରିଥିବା ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ମାସରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଭାରତ ପକ୍ଷରୁ ଏପ୍ରସଙ୍ଗରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇନି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଏହି ଚିଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ହସ୍ତାନ୍ତର କରିଛନ୍ତି।
ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଟ୍ୱିଟ କରିଛନ୍ତି ଯେ, ମେଡିସିନ ଓ ମେଡିକାଲ ସାମଗ୍ରୀ ସହ ଅଧିକ ସଂଖ୍ୟାରେ ମାନବିକ ସହାୟତା ପାଇଁ ୟୁକ୍ରେନ ଅନୁରୋଧ କରିଛି। ଭାରତ ମଧ୍ୟ ସବୁବେଳେ ୟୁକ୍ରେନକୁ ଆବଶ୍ୟକ ମାନବିକ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
ଭାରତ ସରକାରଙ୍କୁ ୟୁକ୍ରେନ୍ ପ୍ରସ୍ତାବ ଦେଇଛି ଯେ, ତାଙ୍କ ଦେଶରେ ଭିତ୍ତିଭୂମି ପୁନଃନର୍ମାଣ କାର୍ୟ୍ୟ ଭାରତୀୟ କମ୍ପାନୀମାନଙ୍କ ପାଇଁ ବେଶ୍ ଲାଭପ୍ରଦ ହେବ ସେହିପରି, ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ‘ୟୁନିଫାଏଡ୍ ଷ୍ଟେଟ୍ କ୍ୱାଲିଫିକେସନ୍ ଏକ୍ଜାମ୍’ ଦେବା ପାଇଁ ୟୁକ୍ରେନ୍ ଅନୁମତି ଦେଇଛି। ଫଳରେ ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।
ଭିତ୍ତିଭୂମିର ପୁନଃ ବିକାଶ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବ। କିଭ ଚାହୁଁଛି ଯେ ରୁଷ ସହ ଚାଲିଥିବା ଯୁଦ୍ଧରେ ଭାରତ ହସ୍ତକ୍ଷେପ କରି ଏହାକୁ ଶେଷ କରିବା ପାଇଁ ପଦକ୍ଷେପ ନେଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ଅଧିକାରୀମାନେ ୟୁକ୍ରେନ ମଧ୍ୟ ଆସନ୍ତୁ ବୋଲି ଚିଠି ମାଧ୍ୟମରେ ଉଲ୍ଲେଖ କରାଯାଇଛି।