Odisha Link
Bridging the Missing Links in Odisha

ଆଜି ୭୧,୦୦୦ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ବିକଶିତ ଭାରତ ପାଇଁ କରାଯାଇଥିବା ଅଭିଳାଷ ପୂରଣ କରିବା ଲାଗି ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି ଓ ସରକାରୀ ଚାକିରି ଯୋଗାଇବା ପ୍ରକ୍ରିୟା ତ୍ବରାନ୍ବିତ ହେଉଛି।

ଓଏଲ୍‌ ବ୍ୟୁରୋ: ଆଜି ‘ରୋଜଗାର ମେଳା’ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୭୧,୦୦୦ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟାଏ ବିକଶିତ ଭାରତ ଗଢ଼ିବା ପାଇଁ ଯୁବାମାନଙ୍କ ମେଧା ଓ ଶକ୍ତିକୁ ଉପଯୁକ୍ତ ସୁଯୋଗ ଦେବାକୁ ସରକାର ପ୍ରତିବଦ୍ଧ ବୋଲି ଆଜି ରୋଜଗାର ମେଳା-୨୦୨୩ରେ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ୭୦,୦୦୦ରୁ ଅଧିକ ଯୁବା କର୍ମସଂସ୍ଥାନ ପାଇଛନ୍ତି। ଆପଣମାନଙ୍କ ପରିବାବର୍ଗଙ୍କୁ ଅଭିନନ୍ଦନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ପାଇଁ କରାଯାଇଥିବା ଅଭିଳାଷ ପୂରଣ କରିବା ଲାଗି ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି ଓ ସରକାରୀ ଚାକିରି ଯୋଗାଇବା ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ଆଜି ସମଗ୍ର ବିଶ୍ବରେ ଭାରତ ସବୁଠୁ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ସେ ଆହୁରି ମଧ୍ୟ କହିଛନ୍ତି, କରୋନା ପରେ ଅନେକ ଦେଶ ଆର୍ଥିକ ସଙ୍କଟରେ ପଡ଼ିଥିବା ବେଳେ ଭାରତ ଦୃଢ଼ତାର ସହିତ ଆଗେଇ ଚାଲିଛି। ଆମ ଅର୍ଥନୀତି ହେଉଛି ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି। ଅର୍ଥନୀତି କ୍ଷୟ ହେଉଥିବା କଥା ବିଶ୍ବ ଦେଖୁଥିବା ବେଳେ ଭାରତର ସ୍ଥିତି ଉଜ୍ଜ୍ବଳ ବୋଲି ସମସ୍ତେ କହୁଛନ୍ତି। ନବ ଭାରତର ଯୁବା ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ମଗ୍ନ ରହି ଡ୍ରୋନ୍‌ ନିର୍ମାଣ କରିବା ସହିତ ଡ୍ରୋନ୍‌ ପାଇଲଟ୍‌ ହେଉଛନ୍ତି।୨୦୧୪ ପର୍ଯ୍ୟନ୍ତ ଭାରତରେ ୭୪ଟି ବିମାନ ବନ୍ଦର ଥିଲା, ଏବେ ୧୪୮ଟି ବିମାନ ବନ୍ଦର ହେଲାଣି। ବିମାନ ବନ୍ଦର ବୃଦ୍ଧି ଯୋଗୁଁ ନୂଆ କର୍ମସଂସ୍ଥାନ ସୁଯୋଗ ମଧ୍ୟ ଉନ୍ମୁକ୍ତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରୋଜଗାର ମେଳାରେ ଦେଶର ବିକାଶ କ୍ଷେତ୍ରରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମୋଦୀ କହିଛନ୍ତି। ଏହି ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ରାଜ୍ୟରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଞ୍ଜିନିୟର, ଲୋକୋ ପାଇଲଟ୍, ଟେକ୍ସିସିଆନ୍, ନୀରିକ୍ଷକ, ଉପ ନୀରିକ୍ଷକ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଗ୍ରାମୀଣ ଡାକ ସେବକ, ଆୟକର ନୀରିକ୍ଷକ, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ସୁରକ୍ଷା ଅଧିକାରୀ ପଦ ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।

Leave A Reply

Your email address will not be published.