ପୁଣି କାୟା ବିସ୍ତାର କଲାଣି କରୋନା ଭୂତାଣୁ, ୧୧ ହଜାର ଟପିଲା ଦୈନିକ ସଂକ୍ରମଣ
ସଂକ୍ରମଣ ବଢୁଥିବାରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
![](https://www.odishalink.com/wp-content/uploads/2021/03/coronavirs.jpg)
ଓଏଲ୍ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ପୁଣି ୧୦ ହଜାର ଉପରେ ଦେଶରେ କରୋନା ସଂକ୍ରମଣ। ଗତକାଲି ୧୦ ହଜାରୁୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ହଜାର ୧୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଭାବେ ୫ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି।
ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୬୨୨ ଛୁଇଁଛି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୯ ଜଣ କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି। ସଂକ୍ରମଣ ବଢୁଥିବାରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସଜାଗ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
ପୂର୍ବରୁ, ୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଥିଲା। ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ହୋଇଥିଲା। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ବଢୁଥିବା ମହାମାରୀକୁ ନଜରରେ ରଖି ଦିଲ୍ଲୀ ଏମ୍ସରେ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ମାସ୍କ ବାଧ୍ୟତାମୂଳକ ସହ ସଫେଇ କାମକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟରୁ ମଧ୍ୟ ଦୂରେଇ ରହିବାକୁ ପଡିବ। ଏହାସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ନିଜ ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମୀ ଉପରେ ସମୀକ୍ଷା ବୈଠକ କରନ୍ତୁ।