ଆଜିଠୁ ସକାଳୁଆ ସ୍କୁଲ ଆରମ୍ଭ

ଓଏଲ୍ ବ୍ୟୁରୋ: ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇଛି। ଏହା ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟଗୁଡ଼ିକର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ୍ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍) ଆସନ୍ତା ୨୧ ତାରିଖରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ବୈଠକ ପୂର୍ବରୁ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ପୂର୍ବ ପ୍ରସ୍ତୁତି କରାଯିବ। ପ୍ରଧାନ ଶିକ୍ଷକମାନେ ବୈଠକ ସମ୍ପର୍କରେ ବହୁ ପୂର୍ବରୁ ଅଭିଭାବକମାନଙ୍କୁ ଅବଗତ କରାଇବେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ବୈଠକ ଚାଲିବ। ଏହି ସମୟରେ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି।