Odisha Link
Bridging the Missing Links in Odisha

ନବୀନ ବାବୁ ଆମ ଛାଇ ଦେଖି ଡରିଲେଣି: ମନମୋହନ ସାମଲ

ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବିଜେପି ନେତାଙ୍କୁ ଝାରସୁଗୁଡା-ସମ୍ବଲପୁର ସୀମାରେ ଅଟକାଇଲା ପୁଲିସ। ଶ୍ରୀପୁର ଛକରେ ଜୋରଦାର ଚେକିଂ ଚାଲିଥିବାବେଳେ ଟିମକୁ ଅଟକ ରଖାଯାଇଥିଲା।

ପୁଲିସ ଅଟକ ରଖିବାରୁ ଶାସକ ଦଳକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ଛାଇ ଦେଖିଲେ ନବୀନ ବାବୁ ଏବେ ଡରିବାକୁ ଲାଗିଲେଣି। ସରକାର ପୁଲିସର ଅଧିକାରକୁ ତଣ୍ଟିଚିପି ହତ୍ୟା କରିସାରିଲେଣି।

ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଝାରସୁଗୁଡ଼ା- ସମ୍ବଲପୁର ସୀମା ଶ୍ରୀପୁର ଛକରେ ଜୋରଦାର ଚେକିଂ ଚାଲିଛି। ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଥିବାବେଳେ ସୀମା ସିଲ୍ କରିଛି ପ୍ରଶାସନ। ଆଜି ସୀମାରେ କଡ଼ାକଡ଼ି ଚେକିଂ ସମୟରେ ରାସ୍ତା ଦେଇ ଯାଉଥିବା ସମସ୍ତ ଗାଡିକୁ ଅଟକାଇ ଯାଞ୍ଚ କରାଯାଉଛି। ଯାଞ୍ଚ ସମୟରେ ବିଜେପି ନେତାଙ୍କୁ ଅଟକ ରଖିଛି ପୁଲିସ।

୧୪୪ ଧାରା ସତ୍ୱେ ଯାଉଥିବାରୁ ବିଜେପି ନେତାଙ୍କୁ ଅଟକ ରଖିଛି ପୁଲିସ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସବୁ ନେତା ଅଟକ। ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ଶଙ୍କର ଓରାମ ପ୍ରମୁଖ ସାମିଲ ଅଛନ୍ତି।

Leave A Reply

Your email address will not be published.