ପ୍ରୟାଗରାଜରେ ଚାଞ୍ଚଲ୍ୟ, ଅତିକ ଅହମଦର ଓକିଲଙ୍କ ଘର ବାହାରେ ବୋମାମାଡ଼
୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା।
![](https://www.odishalink.com/wp-content/uploads/2023/03/ATIQ-750x430.jpg)
ଓଏଲ୍ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ସୁପ୍ରିମକୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଅତିକ୍ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ।ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମଦର ଓକିଲଙ୍କ ଘର ବାହାରେ ବୋମା ମାଡ଼ ହେବା ଖବର ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତରପ୍ରଦେଶ ପ୍ରୟାଗରାଜର କାଟରା ଅଞ୍ଚଳ ସ୍ଥିତ ଅତିକର ଓକିଲ ଘର ବାହାରେ ବୋମା ନିକ୍ଷେପ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳାଇବାପାଇଁ ଏହି ବୋମା ନିକ୍ଷେପ କରାଯାଇଥିଲା। କିନ୍ତୁ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ପୁଲିସ କହିଛି ଏହା କୌଣସି ଟାର୍ଗେଟ୍ ଆକ୍ରମଣ ନୁହେଁ।
ଅତିକ୍ ଅହମଦ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଦାବି କରି କୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଛି। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏକ ନିରପେକ୍ଷ କମିଟି ଏହି ହତ୍ୟା ମାମଲାର ତଦନ୍ତ କରିବାପାଇଁ ଓକିଲ ବିଶାଲ ତିୱାରୀ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି।।
ଖବର ଅନୁସାରେ, ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ମଧ୍ୟରେ ମାଫିଆ ଓ ଅପରାଧୀମାନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶରେ ଆଉ କୌଣସି ମାଫିଆ ବା ଅପରାଧୀମାନେ ଶିଳ୍ପପତିମାନଙ୍କୁ ଧମକ ଦେଇପାରିବେ ନାହିଁ। ବର୍ତ୍ତମାନ ସବୁ କିଛି ବନ୍ଦ ହୋଇଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କହିଛନ୍ତି, ଉତ୍ତର ପ୍ରଦେଶରେ ପୂର୍ବରୁ ଭୟଙ୍କର ଦଙ୍ଗା ହେଉଥିଲା। ଲୋକଙ୍କୁ ଭୟଭୀତ କରାଯାଉଥିଲା। ହେଲେ ଏବେ ଆଉ ଭୟଭୀତ ହେବାର କୌଣସି କାରଣ ନାହିଁ। ର୍ତ୍ତମାନ କୌଣସି ପେଶାଗତ ଅପରାଧୀ କିମ୍ବା ମାଫିଆ ଆଉ ଫୋନ ଯୋଗେ ଶିଳ୍ପପତିଙ୍କୁ ଧମକ ଦେଇପାରିବେ ନାହିଁ। କାରଣ ଏବେ ସବୁ ମାଫିଆମାନେ ଚିନ୍ତାରେ ଅଛନ୍ତି ବୋଲି ଯୋଗୀ କହିଛନ୍ତି। ଏପରିକି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଶାସନାଧୀନ ସରକାରକୁ ଟାର୍ଗେଟ କରିଛନ୍ତି। ୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ରାଜ୍ୟରେ ଦେଖାଯାଇଥିଲା। କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ହେଲେ ଦଙ୍ଗା ହୋଇନି। ଏଥିରୁ ଆପଣମାନେ ନିଶ୍ଚିତ କରନ୍ତୁ ଯେ କେଉଁ ସରକାର ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ରାଜ୍ୟରେ ଠିକ୍ ଅଛି।