‘ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ମହାନଦୀ କଥା ମନେ ପଡ଼େ’
ରାଜନୈତିକ ବୟାନବାଜି ଭିତରେ ଉଭୟ ଛତିଶଗଡ ଓ ଓଡିଶା ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।
ଓଏଲ୍ ବ୍ୟୁରୋ: ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏଏମ୍ ଖାଣ୍ଡିଲକାରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଓ ବିଚାର ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଛତିଶଗଡ଼ରେ ପହଞ୍ଚିଛି। ଏହି ଟିମ୍ ଆଜି ମହାନଦୀର ଉତ୍ପତ୍ତିସ୍ଥଳ ଫାରସିଆ ଯାଇ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ମହାନଦୀ ଟ୍ରିବ୍ୟନାଲକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବୟାନ ପରେ ତେଜିଛି ରାଜନୀତି।
ରାଜନୈତିକ ବୟାନବାଜି ଭିତରେ ଉଭୟ ଛତିଶଗଡ ଓ ଓଡିଶା ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଜଳ ସଂପଦ ମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଭୂଆଁ ବୁଲାଉଛି ରାଜ୍ୟ। ମହାନଦୀ ଉପରେ ଓଡିଶା ସରକାର କାହିଁକି ବ୍ୟାରେଜ କଲେ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ମହାନଦୀ କଥା ମନେ ପଡେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍।
ଖବର ଅନୁସାରେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟ କ’ଣ ତାହା ପୁଣି ଥରେ ସ୍ପଷ୍ଟ କରି ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଭୁପେଶ ବାଘେଲ କହିିଥିଲେ, ଓଡ଼ିଶାର ନୀତି ଯୋଗୁଁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍ ନିର୍ମାଣ ଅଟକି ରହିଛି। ନଦୀର ଅଧିକାଂଶ ପାଣି ଓଡ଼ିଶାକୁ ଯାଉଥିବା ସତ୍ୱେ ମହାନଦୀ ଟ୍ରିବୁନାଲକୁ ଯିବା ଯୋଗୁଁ ଏକାଧିକ ପ୍ରକଳ୍ପ ଅଟକି ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁପେଶ ବାଘେଲ। ତେବେ ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ଅନ୍ତ କେବେ ହେବ ତାହା ଜାଣିବାକୁ ବାକି ରହିଲା।