Odisha Link
Bridging the Missing Links in Odisha

ଫାଇଲ କେବେ ହଜେନି, କେଉଁଠି ନା କେଉଁଠି ରହିଯାଇଥିବ: ଆଇନ ମନ୍ତ୍ରୀ

ଏନେଇ ତର୍ଜମା କରାଯାଉଛି, ବିଭାଗ କାର୍ଯ୍ୟାନୁଷ୍ଠାନ ନେବ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ଫାଇଲ ଆଇନ ବିଭାଗ ହଜେଇଦେବା ଘଟଣାକୁ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଫାଇଲ କେବେ ହଜେନି, କେଉଁଠି ନା କେଉଁଠି ରହିଯାଇଥିବ। ଏନେଇ ତର୍ଜମା କରାଯାଉଛି, ବିଭାଗ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା।

ଅନ୍ୟପଟେ, ଶ୍ରୀମନ୍ଦିର ଫାଇଲ ହଜିବା ନେଇ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ବିଜୟ ମହାପାତ୍ର। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଫାଇଲ ହଜିନି, ମୋର ବିଶ୍ବାସ ତାକୁ ସେମାନେ ଲୁଚେଇ ଦେଇଛନ୍ତି। ଫାଇଲରେ ଏମିତି କିଛି ଅଛି, ଯାହାକୁ ଲୋକଲୋଚନକୁ ଆଣିବାକୁ ଚାହୁଁନାହାନ୍ତି। ତଥ୍ୟ ପ୍ରଘଟ ଆଶଙ୍କାରେ ହଜିଯିବା ବାହାନାର ଆଶ୍ରା ନେଇଛନ୍ତି। ଯଦି ଜଗନ୍ନାଥଙ୍କ ଫାଇଲ ହଜିଯିବ, ଓଡ଼ିଶାରେ ଶାସନରେ ରହିବା ଉଚିତ ନୁହେଁ। ଜଗନ୍ନାଥ ମନ୍ଦିର ସହ ଯେତେପ୍ରକାର ଅବହେଳା କରାଯିବା କଥା, କରାଯାଉଛି। ରାଜ୍ୟ ସରକାର ମନ୍ଦିର ପ୍ରତି ବିପଦ ଆଣିବାକୁ ନିମନ୍ତ୍ରଣ କରୁଛନ୍ତି।

ମିଳିଥିବା ସୂଚନା ମୁତାବିକ, ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆଶା ଆଶଙ୍କା।

Leave A Reply

Your email address will not be published.