ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନ
ଆଜି ମହାନଦୀର ଉତ୍ପତ୍ତିସ୍ଥଳ ଫାରସିଆ ଯାଇ ଅନୁଧ୍ୟାନ ଆରମ୍ଭ କରିଛନ୍ତି।
ଓଏଲ୍ ବ୍ୟୁରୋ: ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏଏମ୍ ଖାଣ୍ଡିଲକାରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଓ ବିଚାର ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଛତିଶଗଡ଼ରେ ପହଞ୍ଚିଛି। ଏହି ଟିମ୍ ଆଜି ମହାନଦୀର ଉତ୍ପତ୍ତିସ୍ଥଳ ଫାରସିଆ ଯାଇ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ସୋନ୍ଦୁର ଡ୍ୟାମ୍ ଓ ରବିଶଙ୍କର ସାଗର ଜଳଭଣ୍ଡାରକୁ ବୁଲି ଦେଖିବେ ବୋଲି ସୂଚନା ରହିଛି।
ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ। ଛତିଶଗଡ଼ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ଗସ୍ତ ପାଇଁ ନିଷ୍ପତ୍ତି କରାଯାଇଛି। ମହାନଦୀ ଅବବାହିକା ଅଞ୍ଚଳର ଉପଅବବାହିକାଗୁଡ଼ିକର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ଲାଗି ଓଡ଼ିଶା ଓ ଛତିଶଗଡ଼ର ଅନେକ ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଦୂର ହୋଇଥିଲେ ମଧ୍ୟ ଆଉ କିଛି ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଜାରିରହିଛି।
ଅନ୍ୟପଟେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ର ଆଭିମୁଖ୍ୟ କ’ଣ ତାହା ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଭୁପେଶ ବାଘେଲ କହିିଛନ୍ତି, ଓଡ଼ିଶାର ନୀତି ଯୋଗୁଁ ଛତିଶଗଡ଼ରେ ବନ୍ଧ, ବ୍ୟାରେଜ୍ ନିର୍ମାଣ ଅଟକି ରହିଛି। ନଦୀର ଅଧିକାଂଶ ପାଣି ଓଡ଼ିଶାକୁ ଯାଉଥିବା ସତ୍ୱେ ମହାନଦୀ ଟ୍ରିବୁନାଲକୁ ଯିବା ଯୋଗୁଁ ଏକାଧିକ ପ୍ରକଳ୍ପ ଅଟକି ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁପେଶ ବାଘେଲ। ତେବେ ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ଅନ୍ତ କେବେ ହେବ ତାହା ଜାଣିବାକୁ ବାକି ରହିଲା।