Odisha Link
Bridging the Missing Links in Odisha

ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ମନମୋହନ ସାମଲ

ହିଂସା ପଛରେ ଅପରାଧୀଙ୍କ ବିରୋଧରେ ଦୃଢ ଆକ୍ସନ ହେଉ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ଭାଜପା ନେତାଙ୍କୁ ପ୍ରଥମେ ରୋକିବା ସହ ଅଟକ ରଖିଥିଲା ଠେଲକୋଲି ପୁଲିସ। ତେବେ ଏହି ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟରେ କହିଛନ୍ତି ଯେ, ହିଂସା ପଛରେ ଅପରାଧୀଙ୍କ ବିରୋଧରେ ଦୃଢ ଆକ୍ସନ ହେଉ।

ବିଜେପି ନେତାଙ୍କୁ ରାସ୍ତାରେ ଅଟକାଇବାକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି ବିଜେପି ସଭାପତି। ସେ କହିଛନ୍ତି, ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ। ୧୪ରେ ଯେଉଁ ସକ୍ରିୟ ଦେଖାଇଲେ, ୧୨ରେ ଦେଖାଇଥିଲେ ଦଙ୍ଗା ହୋଇନଥାନ୍ତା। ଏସପି କହିଲେ ପୂର୍ବ ଯୋଜନା। ତେବେ ଏହା କାହା ଯୋଜନା ଥିଲା। ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି, ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ବୋଲି ସ୍ୱୀକାର କରନ୍ତୁ। ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ଅନ୍ୟପକ୍ଷେ, ଆଜିକୁ ୭ଦିନ ହେବ ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା ହୋଇଛି।

ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା। ଦୀର୍ଘ ୬ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଅବଧିକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.