Odisha Link
Bridging the Missing Links in Odisha

ବିଜେପି ନେତା ନିଜ ଦର୍ପଣରେ ନିଜ ଚେହେରା ଦେଖନ୍ତୁ: ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟ ସରକାରଙ୍କ ବିରୋଧରେ କଡା ମନ୍ତବ୍ୟ ରଖିଥିବାବେଳେ ବିଜେପି ନେତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି। ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ଭାଜପା ନେତାଙ୍କୁ ପ୍ରଥମେ ରୋକିବା ସହ ଅଟକ ରଖିଥିଲା ଠେଲକୋଲି ପୁଲିସ। ତେବେ ଏହି ଘଟଣାକୁ ନେଇ ବିଜେପି ଆଇନ ଶୃଙ୍ଖଳା ବ୍ୟବସ୍ତାକୁ ରାଜ୍ୟ ସରକାରଙ୍କ ବିରୋଧରେ କଡା ମନ୍ତବ୍ୟ ରଖିଥିବାବେଳେ ବିଜେପି ନେତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ କେମିତି ଅଛି ଆଇନ ଶୃଙ୍ଖଳା। ବିଜେପି ରାଜ୍ୟରେ ଦିନରେ ପୋଲିସ ଉପସ୍ଥିତିରେ ହତ୍ୟା ହେଉଛି। ବିଜେପି ନେତା ନିଜ ଦର୍ପଣରେ ନିଜ ଚେହେରା ଦେଖନ୍ତୁ। କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ ପ୍ରସନ୍ନ। ଆନ୍ଦୋଳନ ଓ ବନ୍ଦ ଡାକରା ଦେବା ସମସ୍ତଙ୍କର ଅଧିକାର ରହିଛି। ହିଂସା ପାଇଁ ଉସକାଇବା ରାଜନୀତିକ ଦଳର ଧର୍ମ ନୁହେଁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ସମ୍ବଲପୁରରେ ହିଂସା ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟରେ କହିଥିଲେ ଯେ, ହିଂସା ପଛରେ ଅପରାଧୀଙ୍କ ବିରୋଧରେ ଦୃଢ ଆକ୍ସନ ହେଉ। ବିଜେପି ନେତାଙ୍କୁ ରାସ୍ତାରେ ଅଟକାଇବାକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ ବିଜେପି ସଭାପତି। ସେ କହିଥିଲେ, ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ। ୧୪ରେ ଯେଉଁ ସକ୍ରିୟ ଦେଖାଇଲେ, ୧୨ରେ ଦେଖାଇଥିଲେ ଦଙ୍ଗା ହୋଇନଥାନ୍ତା। ଏସପି କହିଲେ ପୂର୍ବ ଯୋଜନା। ତେବେ ଏହା କାହା ଯୋଜନା ଥିଲା। ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି, ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ବୋଲି ସ୍ୱୀକାର କରନ୍ତୁ। ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ।

Leave A Reply

Your email address will not be published.