ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ସହିଦ
![](https://www.odishalink.com/wp-content/uploads/2023/04/WhatsApp-Image-2023-04-21-at-08.57.45-750x430.jpeg)
ଭୁବନେଶ୍ବର: ଗୁରୁବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସହିଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର। ଦେବାଶିଷ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଥିଲେ।
ଦେବାଶିଷଙ୍କ ଘରକୁ ଭାରତୀୟ ସେନା ମୁଖ୍ୟାଳୟରୁ ଫୋନ୍ ଯୋଗେ ଏହି ସୂଚନା ଦିଆଯାଇଛି। ଏହି ଖବର ପ୍ରଚାର ହେବା ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ ଓ ମା’ ହେଉଛନ୍ତି ମମତା ବିଶ୍ୱାଳ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ବିବାହ କରିଥିଲେ। ୨୦୨୩ ଅକ୍ଷୟ ତୃତୀୟାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଦେବାଶିଷ ଦେଶ ପାଇଁ ବଳିଦାନ ଦେଇଛନ୍ତି।
ସୂଚନାଥାଉକି, ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା।
ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି।