ଶ୍ରୀମନ୍ଦିର ଫାଇଲ ହଜିବା ପ୍ରସଙ୍ଗ: ଥାନାରେ ଅଭିଯୋଗ କଲେ ବିଜେପି ପ୍ରତିନିଧି ଦଳ
ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କଲେ ଲଳିତେନ୍ଦୁ।
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାକୁ ଗଲା ବିଜେପି। କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳର ଅଭିଯୋଗ। ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଟିମ୍। ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କଲେ ଲଳିତେନ୍ଦୁ।
ମିଳିଥିବା ସୂଚନା ମୁତାବିକ, ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆଶା ଆଶଙ୍କା।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି ସବୁ ବିଭାଗକୁ ଚିଠି କରାଯାଇଛି। ଏପରିକି ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ଧାର୍ଯ୍ୟ ହେବାପରେ ଚାବି ନମିଳିବାରୁ ତାହା ଆଜି ପର୍ଯ୍ୟନ୍ତ ଖୋଲା ଯାଇପାରିନି।