ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ
![](https://www.odishalink.com/wp-content/uploads/2023/04/Former.jpg)
ଭୁବନେଶ୍ବର: ପରଲୋକରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ କାନୁନଗୋ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ପ୍ରାୟ ୭ଟାରେ ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ତ୍ରିଲୋଚନ କାନୁନଗୋଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଥାଉକି, ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତ୍ରିଲୋଚନ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି।
୧୯୭୧ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ ମସିହାରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।