ଝାରସୁଗୁଡା ଉପ-ନିର୍ବାଚନ: ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ,୧୪ ଜଣ ଭରିଛନ୍ତି ନାମାଙ୍କନ
ପ୍ରାର୍ଥୀପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଚାହିଁଲେ ଆସନ୍ତା ୨୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ବୋଲି ସୂଚନା ରହିଛି।
![](https://www.odishalink.com/wp-content/uploads/2022/02/State-Election-Comission-750x430.jpg)
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ ଉଷ୍ମତା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସେମାନଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଚାହିଁଲେ ଆସନ୍ତା ୨୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ବୋଲି ସୂଚନା ରହିଛି।
ଅନ୍ୟପଟେ, ନିର୍ବାଚନ ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ପ୍ରକୋଷ୍ଠରେ କିମ୍ବା ମୋବାଇଲରେ ଯୋଗାଯୋଗ କରାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ଠିକ ଅନୁପାଳନ ହେଉଛି କି ନାହିଁ। ତାହା ତଦାରଖ କରିବାକୁ ସାଧାରଣ ପର୍ଯ୍ୟବେକ୍ଷକ ଆଇଏଏସ ଡକ୍ଟର ଅହମ୍ମଦ ଇକବାଲ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶିତୋଲେ ସତୀଶ ବିଶ୍ୱନାଥ ଝାରସୁଗୁଡାରେ ପହଞ୍ଚିଛନ୍ତି। ତେବେ ଏହି ଉପ-ନିର୍ବାଚନରେ ମଇଦାନରେ ଯୁବ ନେତାଙ୍କୁ ଦେଖିବାକୁ ମିଳୁଥିବାବେଳେ କିଏ ବାଜିମାତ କରିବ ତାହା ଦେଖିବା ବାକି ରହିଲା।
ସୂଚନା ଅନୁସାରେ, ଆସନ୍ତା ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ଥିବାବେଳେ ମେ’ ୧୩ରେ ଭୋଟ ଗଣତି। ଏପ୍ରିଲ ୨୩ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ୍ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ପ୍ରମୁଖ ଦଳର ନେତା ଭାବେ ବିଜେପିରୁ ଟଙ୍କଧର ତ୍ରିପାଠୀ, ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ଭାବେ ଝାରସୁଗୁଡା ଉପ-ନିର୍ବାଚନରେ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।