ତାତିରୁ ମିଳିବ ତ୍ରାହି, ରାଜ୍ୟରେ କାଳବୈଶାଖୀ ପ୍ରଭାବର ଆଶଙ୍କା
କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି।

ଓଏଲ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ ହନ୍ତସନ୍ତ ରାଜ୍ୟବାସୀ। ଅତ୍ୟଧିକ ଗରମ ପାଇଁ ଗତକାଲି ୪ଟି ଜିଲ୍ଲାକୁ ହିଟ ୱେଭ ଅରେଞ୍ଜ ଆଲର୍ଟ ଦିଆଯାଇଥିଲା। ସପ୍ତାହରୁ ଅଧିକ ଦିନ ଧରି ଲାଗି ରହିଥିବା ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି। ଆଜି ଠାରୁ ବିଭିନ୍ନ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାସହ ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରା ହ୍ରାସ ପାଇବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର।
ଖବର ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୋହଲା ଥିବାର ସୂଚନା ରହିଛି। କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି। ଗତକିଛି ଦିନ ହେବ ଲାଗିରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ବୋଲି ଆଶା ରହିଛି। ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି କାଳବୈଶାଖୀ ପ୍ରବାହରେ ବର୍ଷା ହୁଏ ତେବେ ତାତିରୁ ତ୍ରାହି ମିଳିବ।