Odisha Link
Bridging the Missing Links in Odisha

ଭାରତର ଦକ୍ଷତା ରାଜଧାନୀରେ ପରିଣତ ହେବ ଓଡ଼ିଶା

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର ୨ୟ ଦିନରେ ଆଜି ବିଶ୍ୱରେ ଏକ ଅଗ୍ରଣୀ ଦକ୍ଷତା କେନ୍ଦ୍ରରେ ପରିଣତ ହେବା ଲାଗି ଓଡିଶା ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମ୍ମିଳନୀର ୨ୟ ଦିନରେ ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା, ମୂଲ୍ୟାୟନ, ପ୍ରଶିକ୍ଷଣ ଏବଂ କର୍ମବଳର ବିବିଧକରଣର ମହତ୍ୱ ଭଳି ପ୍ରସଙ୍ଗ ଉପରେ ଅଧିବେଶନର ଆୟୋଜନ କରାଯାଇଥିଲା ।

ଆଜିର ଦିନ ‘ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା’ ନାମକ ଅଧିବେଶନ ସହ ଆରମ୍ଭ ହୋଇଥିଲା ଯେଉଁଥିରେ ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ ଭାରତୀୟ ଶ୍ରମବଳ ଓ ଆନ୍ତର୍ଜାତୀୟ ଇଂଟର୍ଣ୍ଣସିପ୍‌ର ଗଠନକୁ ସମର୍ଥନ କରିବା କ୍ଷେତ୍ରରେ ଆନ୍ତର୍ଜାତୀୟ ବ୍ୟବସ୍ଥାକାରୀ ଓ ସହଯୋଗୀଙ୍କ ଭୂମିକା ଏବଂ ଆନ୍ତର୍ଜାତୀୟ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି) ପ୍ରଦାତାଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଓଡିଶା ସରକାରଙ୍କ ଗ୍ରାମାଂଚଳ ବିକାଶ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ସିଂହ କହିଥିଲେ, ‘ଓଡିଶା ହେଉଛି ଭାରତରେ ଦକ୍ଷତାର ଉଦୀୟମାନ ସ୍ଥଳୀ, ଭାରତର ଦକ୍ଷତା ରାଜଧାନୀ ଓ ବିଶ୍ୱର ଆଶାୟୀ ଦକ୍ଷତା ରାଜଧାନୀ । ଆମ ରାଜ୍ୟରେ ଆମ ପାଖରେ ଥିବା ସ୍କିଲିଙ୍ଗ ଇକୋସିଷ୍ଟମ ଏବଂ ଯେଉଁଭଳି ଭାବେ ଆନ୍ତର୍ଭାତୀୟ ସ୍ତରରେ ଏହା ସ୍ଥାପିତ ହୋଇଛି ତାହାକୁ ନେଇ ଆମେ ଗର୍ବିତ । ରଣନୈତିକ ଯୋଜନା ମାଧ୍ୟମରେ ଆମେ ଏହାକୁ ବିକଶିତ କରିବାକୁ ସକ୍ଷମ ହୋଇଛୁ କାରଣ ଏହା ଉଭୟ ବ୍ୟକ୍ତିବିଶେଷ ଓ ସମାଜ ପାଇଁ ଏକ ଜୀବନ ପରିବର୍ତନକାରୀ ପଦକ୍ଷେପ ଅଟେ । ବହୁମୁଖୀକରଣ ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଓଡିଶା ଯୁବପିଢିଙ୍କୁ ସମସ୍ତ ସୁଯୋଗ ପ୍ରଦାନ କରୁଛି ।’

ଏହି ଅଧିବେଶନରେ ଇଂଟରନ୍ୟାଶନାଲ ସେଂଟର୍ ଫର୍ କଲିନାରୀ ଆର୍ଟସ୍‌- ଆଇସିସିଏ ଦୁବାଇ, ସିଇଓ-ନିର୍ଦ୍ଦେଶକ ଡଃ ସୁନେଜ ରାଜା, ସିସ୍କୋର ଇଣ୍ଡିଆ ଓ ସାଉଥ୍ ଏସିଆ କର୍ପୋରେଟ୍ ଆଫାୟାର୍ସ ମୁଖ୍ୟ ଅନୁରାଗ ଶ୍ରୀବାସ୍ତବ, ଟାଟା ଷ୍ଟ୍ରାଇଭ୍ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍‌ସ ଟ୍ରଷ୍ଟ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ଉପାଧ୍ୟକ୍ଷ ଅନିତା ରାଜନ, ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର୍‌ର ସିଇଓ ବ୍ରୁସ୍ ପୁ ଏବଂ ସିଗୁଲ୍ ଗ୍ରୁଫ୍ ଅଫ୍ କମ୍ପାନୀଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁରେଶ କୁମାର ମଧୁସୁଦନନ୍ ପ୍ରମୁଖ ଯୋଗ ଦେଇଥିଲେ । ‘ଲିଙ୍ଗଗତ ଅନ୍ତରକୁ ହ୍ରାସ କରିବା: ମହିଳାମାନଙ୍କୁ ଦକ୍ଷତା ମାଧ୍ୟମରେ ସଶକ୍ତ କରିବା’ ନାମକ ପରବର୍ତୀ ଅଧିବେଶନ ରାଜ୍ୟର ଯୁବତୀମାନଙ୍କୁ ଶିକ୍ଷା ମାର୍ଗ, ନିଯୁକ୍ତି ବୃଦ୍ଧିକାରୀ ପଦକ୍ଷେପ ଓ ସ୍ଥାୟୀ ଜୀବିକା ମାଧ୍ୟମରେ ସହଯୋଗ କରିବା କ୍ଷେତ୍ରରେ ଓଡିଶାର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲା ।

ଏହି ଅଧିବେଶନରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆୟୁକ୍ତ ତଥା ସଚିବ ସୁଜାତା ଆର୍‌. କାର୍ତିକେୟନ୍ କହିଥିଲେ, ‘ପ୍ରତ୍ୟେକ ମହିଳା କିମ୍ବା ଜଣେ ଯୁବତୀଙ୍କର ନିଜ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଓ ସଶକ୍ତ ହେବାର ଅଧିକାର ରହିଛି । ଲିଙ୍ଗ ଓ ଦକ୍ଷତା, ଲିଙ୍ଗ ଓ ସଶକ୍ତିକରଣ ସରକାରଙ୍କ ଏଜେଣ୍ଡା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ପ୍ରୟାସ ହେଉଛି ମିଶନ ଶକ୍ତି ମାଧ୍ୟମରେ ଆମେ ଯେପରି ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାକୁ ସକ୍ଷମ ହେବୁ ତାହା ସୁନିଶ୍ଚିତ କରିବା ।’

୨ୟ ଅଧିବେଶନର ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଟାଟା ଇଲେକ୍‌ଟ୍ରୋନିକ୍ସର ଲର୍ଣ୍ଣିଂ, ଲିଡରସିପ୍ ଡେଭ୍‌ଲପ୍‌ମେଂଟ୍ ଆଣ୍ଡ୍ ଟାଲେଂଟ୍ ମ୍ୟାନେଜ୍‌ମେଂଟ୍‌- ମୁଖ୍ୟ ସୋହିନୀ ସିହ୍ନା, ଆଇଆଇଏମ୍‌, ଅହମ୍ମଦାବାଦର ପ୍ରଫେସର , ପ୍ରଫେସର ନିହାରିକା ବୋହରା, ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନର ଅଧ୍ୟକ୍ଷ ସଙ୍ଗୀତା ଜିନ୍ଦଲ, ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ଆଇଏଏସ୍ ଗୁହା ପୁନମ ତାପସ କୁମାର, ଏମ୍‌ଜିଏମ୍ ୟୁନିଭର୍ସିଟିର ଡିନ୍ ଫ୍ୟାକଲ୍‌ଟି ଅଫ୍ ଡିଜାଇନ୍ ଡଃ ମୋନିକା ଅଗ୍ରୱାଲ, ଏଫ୍‌ଆଇସିସିଆଇ ଲେଡିସ୍ ଅର୍ଗାନାଇଜେଶନର ଭୁବନେଶ୍ୱର ଚାପ୍ଟର-ଅଧ୍ୟକ୍ଷା ପୁନମ ମହାପାତ୍ର ଆଦି ସାମିଲ ଥିଲେ ।

Leave A Reply

Your email address will not be published.