ସମ୍ବଲପୁରରେ ୧୨ ଘଣ୍ଟା ପାଇଁ କଟକଣା କୋହଳ, ସପ୍ତାହେ ପରେ ବି ମିଳୁନି ଇଣ୍ଟରନେଟ୍
ସମ୍ବଲପୁରରେ ଆଜିଠୁ ସକାଳ ୬ ରୁ ସଂନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା କଟକଣା କୋହଳ କରାଯାଇଛି।
![](https://www.odishalink.com/wp-content/uploads/2023/04/sambalpur-2-738x430.jpg)
ଓଏଲ୍ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସପ୍ତାହେ ପରେ ବି ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ହେଲେ ଆଜି ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ସମ୍ବଲପୁରରେ ଆଜିଠୁ ସକାଳ ୬ ରୁ ସଂନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା କଟକଣା କୋହଳ କରାଯାଇଛି।
ଅନ୍ୟପକ୍ଷେ, ସମ୍ବଲପୁର ସହରରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ ଥିବାବେଳେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାର୍ଯ୍ୟ କରୁଛି। ଆସନ୍ତାକାଲି ଯାଏ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଅତିଶୀଘ୍ର ସ୍ତିତି ସୁଧୁରିଯିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।