୩୭ ଦିନ ପରେ ଆତ୍ମସମର୍ପଣ କଲା ପଳାତକ ଅମ୍ରିତପାଲ

ଓଏଲ୍ ବ୍ୟୁରୋ: ପୁଲିସ ନିକଟରେ ଆତ୍ମସମର୍ପଣ କଲା ପଳାତକ ଘୋଷିତ ଅମ୍ରିତପାଲ ସିଂହ। ପଞ୍ଜାବର ମୋଗା ପୁଲିସ ନିକଟରେ ଖଳିସ୍ତାନୀ ନେତା ଅମ୍ରିତପାଲ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଛି। ଅମ୍ରିତପାଲକୁ ଗିରଫ କରାଯାଇଥିବା ନେଇ ପଞ୍ଜାବ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସ୍ପଷ୍ଟ କରାଯାଇଛି। ୩୭ ଦିନ ପରେ ଅମ୍ରିତପାଲକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ।
ଶନିବାର ସନ୍ଧ୍ୟାରେ ଅମ୍ରିତପାଲ ସିଂହ ମୋଗା ଜିଲ୍ଲାର ରୋଡେ ଗାଁରେ ଥିବା ଗୁରୁଦ୍ୱାରାରେ ପହଞ୍ଚିଥିଲା। ବିଳମ୍ବିତ ରାତିରେ ସେ ସେଠାରେ ଥିବା ନେଇ ମୋଗା ପୁଲିସକୁ ନିଜେ ଖବର ଦେଇଥିଲା ଓ ଆତ୍ମସମର୍ପଣ କରିବାକୁ ଚାହୁଁଥିବା କହିଥିଲା। ତା’ପରେ ମୋଗା ପୁଲିସ ଗୁରୁଦ୍ୱାରାରେ ପହଞ୍ଚିବା ପରେ ଅମ୍ରିତପାଲ ସିଂହ ଆତ୍ମସମର୍ପଣ କରିଥିଲା। ଆଜି ସକାଳେ ଆତ୍ମସମର୍ପଣ କରିବା ପୂର୍ବରୁ ଗୁରୁଦ୍ୱାରରେ ସେ କିଛି ଲୋକଙ୍କୁ ସମ୍ବୋଧିତ ମଧ୍ୟ କରିଥିବାର ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଗିରଫ ଅମ୍ରିତପାଲ ସିଂହକୁ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯିବ। ପୂର୍ବରୁ ଗିରଫ ତା’ର ୮ ଜଣ ସହଯୋଗୀ ମଧ୍ୟ ସେହି ଜେଲରେ ଅଛନ୍ତି। ଏ ସମସ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ବୋଲି ପଞ୍ଜାବ ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାଥାଉକି, ଖୋଲାଖୋଲି ଭାବେ ଖଲିସ୍ତାନ ସପକ୍ଷରେ ଯୁକ୍ତି ରଖୁଥିବା ଅମ୍ରିତପାଲ ଗତ ଫେବ୍ରୁଆରି ୨୩ରେ ଚର୍ଚ୍ଚାକୁ ଆସିଥିଲା। ତା’ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା। ତାକୁ ଥାନାରୁ ଉଡ଼ାଇ ଆଣିବାକୁ ଅମ୍ରିତପାଲ ନିଜ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚିଥିଲା। ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।
ଏହା ପରେ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ଅମ୍ରିତପାଲକୁ ଧରିବା ପାଇଁ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସିଂହ ଖସି ପଳାଇବାରେ ସକ୍ଷମ ହୋଇଥିଲା। ତାକୁ ଧରିବା ପାଇଁ ମାର୍ଚ୍ଚ ୧୮ ତାରିଖରୁ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶ ପୁଲିସ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ।