Odisha Link
Bridging the Missing Links in Odisha

ଅଘୋଷିତ ବିଜୁଳି କାଟ: ମନ୍ତ୍ରୀ କହିଲେ-ପାଓ୍ବାର କଟ୍‌ ନୁହେଁ ଟ୍ରିପ୍

ସ୍ୱାଧିନତା ପରଠୁ ଗତ ୨୦ ତାରିଖରେ ସର୍ବାଧିକ ବିଦ୍ୟୁତ୍‌ ଡିମାଣ୍ଡ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଏଥିରୁ ମୁକ୍ତି ପାଇବା ପାଇଁ ଏସି, କୁଲରର ବ୍ୟବହାର ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ ଶକ୍ତି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଏଥର ବିଦ୍ୟୁତ କାଟ ହେବନି। ହେଲେ କିଛି ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା, ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଶକ୍ତିମନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି।

ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ରାଜ୍ୟରେ ବିଦ୍ୟୁତ ଯୋଗାଣର କୌଣସି ଅଭାବ ନାହିଁ। ହେଲେ ଅତ୍ୟଧିକ ଖରା ହେତୁ ପିକ୍‌ ସମୟରେ ଟ୍ରାନ୍ସଫର୍ମରର କ୍ଷମତାଠାରୁ ଅଧିକ ଲୋଡ ପଡୁଛି। ବିଶେଷକରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ ଟ୍ରିପ କରିଗଲେ ଠିକ୍ ହେବାକୁ ୬ରୁ ୭ ଘଣ୍ଟା ଲାଗୁଛି। ପାୱାର କଟ୍‌ ହେଉନି, ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍‌ କରୁଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

ସେ ଆହୁରି ମଧ୍ୟ କହିଛନ୍ତି, ତାତିରେ ଛଟପଟ ହେଉଥିବା ଲୋକେ ଏଥିରୁ ମୁକ୍ତି ପାଇବାକୁ ଫ୍ୟାନ୍‌, ଏସି ଉପରେ ବହୁ ମାତ୍ରାରେ ନିର୍ଭର କରୁଛନ୍ତି। ମାତ୍ର ଅଧିକାଂଶ ସମୟରେ ଅତ୍ୟଧିକ ଡିମାଣ୍ଡ ଯୋଗୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ କଲବଲ ହେଉଛନ୍ତି ଲୋକେ। ଗ୍ରାମାଞ୍ଚଳରେ ଏପରି ସମସ୍ୟା ଦେଖାଦେଲେ ତାହାର ମରାମତି ଲାଗି ଅଧିକ ସମୟ ଲାଗୁଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ଲାଗି ଚେଷ୍ଟା କରାଯାଉଛି। ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଉଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି। ଯେଉଁଠି ଟ୍ରାନ୍ସମଫର କ୍ଷମତାଠାରୁ ଅଧିକ ଲୋଡ୍ ପଡୁଛି ସେଠାରେ ଲୋ ଭୋଲଟେଜ ହେବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ।

ରାଜ୍ୟରେ ଚଳିତ ବର୍ଷ ପିକ୍ ସମୟରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟ ବିଜୁଳର ଆବଶ୍ୟକତା ରହୁଛି। ଗତ ବର୍ଷ ଏହି ଆବଶ୍ୟକତା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ। ଏଥିସହ ସେ କହିଛନ୍ତି, ସ୍ୱାଧିନତା ପରଠୁ ଗତ ୨୦ ତାରିଖରେ ସର୍ବାଧିକ ବିଦ୍ୟୁତ୍‌ ଡିମାଣ୍ଡ ହୋଇଥିଲା। ଏପରି ସ୍ଥିତିରେ ଲାଇନ୍‌ କଟି ଯାଉଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍‌ ଯୋଗାଣ କରି ହେଉନି। ତଥାପି ନିରବଛିନ୍ନ ବିଜୁଳି ଯୋଗାଇବା ଲାଗି ଆପ୍ରାଣ ଚେଷ୍ଟା କରାଯାଉଥିବା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

Leave A Reply

Your email address will not be published.