ଲୋକସେବା ଭବନରେ ଚାଷୀ ପରିବାର ପାଇଁ ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ
ଚାଷୀ ଋଣ ଉପରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ସୁଧ ରିହାତି ଦେଉଛି ଓଡ଼ିଶା ସମବାୟ।

ଓଏଲ୍ ବ୍ୟୁରୋ: ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଲୋକସେବା ଭବନରେ ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରାଯାଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି। ଚାଷୀଙ୍କ ବିକାଶରେ ଓଡ଼ିଶା ସମବାୟ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ କରୁଛି। ଚାଷୀ ଋଣ ଉପରେ ବାର୍ଷିକ ପ୍ରାୟ ୮୦୦ କୋଟି ଟଙ୍କା ସୁଧ ରିହାତି ଦେଉଛି ଓଡ଼ିଶା ସମବାୟ।
ଲୋକସେବା ଭବନରେ ସୁଧ ରିହାତି ବିତରଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ। ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି। କାଳିଆ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦାନ କରଯାଉଛି। ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି। ସେମାନଙ୍କୁ ସୁଧ ଦେବାକୁ ପଡିନି। ରାଜ୍ୟର କୋ-ଅପରେଟିଭ ମୁମେଣ୍ଟ ଶକ୍ତିଶାଳୀ ହୋଇଛି। ଚାଷୀଭାଇ ଆମ ଗର୍ବ, ଚାଷୀଙ୍କ କଲ୍ୟାଣ ପାଇଁ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ସୁଧ ରିହାତି ବିତରଣ ଅବସରରେ କହିଛନ୍ତି।