୨୦୨୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଏବେ କ୍ୟାବିନେଟ୍ ମଞ୍ଜୁରୀ ମିଳିଲା

ଭୁବନେଶ୍ବର: କ୍ରୀଡ଼ାର ବିକାଶକୁ ଅଧିକ ଗୁରୁତ୍ବ ଦେଉଥିବା ଓଡ଼ିଶା ସରକାର ନେଲେ ଆଉ ଏକ ବଡ଼ ପଦକ୍ଷେପ। ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ଭାବେ ଓଡ଼ିଶା ରହିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି। ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇ ରହିବ ଓଡ଼ିଶା। ଏହି ନିଷ୍ପତ୍ତି କ୍ରୀଡ଼ା କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିବ।
ସାହାର ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ଭାରତୀୟ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା। ଆଉ ପ୍ରଥମ ଥର ପାଇଁ ୨୦୧୮ ମସିହାରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସ୍ପନସର କରିବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର। ଏଥିସହିତ ଓଡ଼ିଶା ୨୦୧୮ରେ ହକି ଇଣ୍ଡିଆ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା।
ସବୁଠୁ ବଡ଼କଥା ହେଲା ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ହକିକୁ ନେଇ ନିଜ ପ୍ରତିବଦ୍ଧତାର ପରିଚୟ ଦେଇ ସାରିଛି। ସୂଚନାଥାଉକି ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ଟିମକୁ ସ୍ପୋନ୍ସର କରିବେ ବୋଲି ଘୋଷଣା କରିଥିଲେ। ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଏହି ଘୋଷଣା କରିଥିଲେ।
ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ହକି ଇଣ୍ଡିଆ ସହ ରହିବା ନେଇ ଆମେ ଘୋଷଣା କରୁଛୁ। ଆଉ ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା’ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।