ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି, ବାତିଲ ହେଲା ଓଏସ୍ଏସ୍ସିର ଏକ ପରୀକ୍ଷା
ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ।

ଓଏଲ୍ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ହୋଇଥିବା ଏକ ପରୀକ୍ଷାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ କରାଯାଇଛି। ଗତକାଲି ହୋଇଥିବା ପ୍ରିଲିମନାରୀ ପରୀକ୍ଷା ହେଲା ବାତିଲ। ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ବାତିଲ ହେଲା ପରୀକ୍ଷା।
ଖବର ଅନୁସାରେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ପକ୍ଷରୁ ରବିବାର ଆୟୋଜିତ ହୋଇଥିଲା ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟଟାଣ୍ଟ ଗ୍ରୁପ୍ ‘ବି’। ସେଥିରେ ଓଡ଼ିଆ ଭାଷାରେ କରାଯାଇଥିବା ପ୍ରଶ୍ନପତ୍ରକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏଭଳି ବେପରୁଆ ଢଙ୍ଗରେ ପରୀକ୍ଷା କରି ପିଲାଙ୍କ ଭାଗ୍ୟ ସହ ଖେଳ ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷାକୁ ବର୍ତମାନ ବାତିଲ୍ କରାଯାଇଛି।
କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇ ହେବ ବୋଲି ଏକ ବିଜ୍ଞପ୍ତି ପ୍ରକାଶ କରିବା ପରେ ଚାରି ଆଡେ ଖୁସି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ପ୍ରଶ୍ନପତ୍ର ଦେଖିବା ପରେ ଖୁସି ପାଣି ଫୋଟକା ପରି ମେଳାଇଯାଇଛି। ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା। ଗୁଗୁଲ ଟ୍ରାନ୍ସଲେଟ ସାହାଯ୍ଯରେ ତାହା ପ୍ରସ୍ତୁତ କରାଯାଇଥିବା ଭଳି ମନେ ହେଉଛି। ଯେଉଁମାନେ ପ୍ରଶ୍ନପତ୍ର ତିଆରି କରିଛନ୍ତି ସେମାନେ ଓଡ଼ିଆ ଜାଣି ନାହାନ୍ତି କିମ୍ୱା କୌଣସି ଓଡ଼ିଶାର ସଂସ୍ଥା ଏହା ପ୍ରସ୍ତୁତ କରିନାହାନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରୁଛନ୍ତି ଲୋକେ।