ବିରୋଧୀ ନେତା ଝାମେଲା କରନ୍ତି ବୋଲି ରାଜ୍ୟବାସୀ ଜାଣନ୍ତି: ପ୍ରତାପ ଦେବ
ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି ତା'ଉପରେ କାର୍ଯ୍ୟାନୁଷ୍ଠାନ ହେଉ।

ଓଏଲ୍ ବ୍ୟୁରୋ: ଗୁଡୁ ମୁସଲିମକୁ ନେଇ ସାରା ରାଜ୍ୟରେ ଜୋର ଚର୍ଚ୍ଚା ଧରିଛି। ତେବେ ଏହି ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାଂସଦ ସୁରେଶ ପୂଜାରୀ ନିଜର ମନ୍ତବ୍ୟ ମାଧ୍ୟମରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ତିତିକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ ରଖିଛନ୍ତି ପ୍ରତାପ ଦେବ। ବିରୋଧୀଦଳ ନେତା ଝାମେଲା କରନ୍ତି ବୋଲି ରାଜ୍ୟବାସୀ ଜାଣନ୍ତି। ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି ତା’ଉପରେ କାର୍ଯ୍ୟାନୁଷ୍ଠାନ ହେଉ। ଆଇନକୁ ତା’ବାଟରେ କାମ କରୁ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।
ଗୁଡୁ ମୁସଲିମର ବରଗଡ଼ ଆସିବା ନେଇ ସାଂସଦ ସୁରେଶ ପୂଜାରୀ ନିଜର ମନ୍ତବ୍ୟ ରଖିଥିଲେ। ସେ ଗଣମାଧ୍ୟମ ଆଗରେ କହିଥିଲେ ଯେ, ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି। ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା। ଏଭଳି ସ୍ଥିତିରେ ଗ୍ୟାଙ୍ଗଷ୍ଟର ଗୁଡୁ ମୁସଲିମ ପୁରୀ ଓ ବରଗଡ଼ ଆସିଥିବା ଜଣାପଡ଼ିଛି। ଗୁଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ରହିଛି। ଗୁଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ, କିଏ ରାଜାର ପୃଷ୍ଠପୋଷକ। ୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ବୋଲି ପ୍ରଶ୍ନ କରିଥିଲେ ସାଂସଦ ସୁରେଶ ପୂଜାରୀ।
ସାଂସଦ ସୁରେଶ ପୂଜାରୀ ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସେ କହିଥିଲେ। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସାଂସଦ ସୁରେଶ ପୂଜାରୀ କହିଥିଲେ। ରାଜ୍ୟ ସରକାର ରାଷ୍ଟ୍ରହୀତ ଦୃଷ୍ଟିରୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସୁରେଶ ପୂଜାରୀ କହିଥିଲେ।