ବିଜ୍ଞାନ ବହିରୁ ହଟିଲା ଡାରୱିନ୍ ଥିଓରୀ, ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ
ଡିଜିଟାଲ ସ୍କିଲ ଓ ଦକ୍ଷତା ବିକାଶ ଆମର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଓଏଲ୍ ବ୍ୟୁରୋ: ଏନ୍ସିଇଆର୍ଟି ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀ ବା କ୍ରମ ବିବର୍ତ୍ତନ ବାଦ। ଯାହାକୁ ନେଇ ଭାରତର ବୈଜ୍ଞାନିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏନ୍ସିଇଆର୍ଟିକୁ ଚିଠି ଲେଖିଛନ୍ତି। ତେବେ ଏହି କଥାକୁ ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ସରକାରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରିକୁଲମ ଫ୍ରେମୱାର୍କ ସବୁ ରାଜ୍ୟକୁ ପଠାଯାଇଛି। ସବୁ ରାଜ୍ୟ ମତାମତ ଦେବା ପରେ ନିଷ୍ପତି ହେବ। ଆକଳନ କରି ବୟାନବାଜି କରିବା ଠିକ୍ ନୁହେଁ। ଡିଜିଟାଲ ସ୍କିଲ ଓ ଦକ୍ଷତା ବିକାଶ ଆମର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଏନ୍ସିଇଆର୍ଟି ପାଠ୍ୟ ପୁସ୍ତକରେ ଅନେକ ବିବାଦୀୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଗାନ୍ଧୀଙ୍କ କଥା, ପରେ ମୌଲାନା ଆଜାଦଙ୍କ କଥା, ଏହିଭଳି ଅନେକ ଇତିହାସକୁ ପାଠ୍ୟ ବିଷୟରୁ ହଟାଇ ଦିଆଯିବାରୁ ଏହାକୁ ନେଇ ବିରୋଧ ହୋଇଛି। ଏବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହାନ ବୈଜ୍ଞାନିକ ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀ ବା କ୍ରମ ବିବର୍ତ୍ତନ ବାଦକୁ ଏନ୍ସିଇଆର୍ଟି ପୁସ୍ତକରୁ ହଟାଇ ଦିଆଯାଇଛି। ସାରା ଭାରତରୁ ୧୮୦୦ରୁ ଅଧିକ ବୈଜ୍ଞାନିକ, ଶିକ୍ଷକ ଓ ବିଜ୍ଞାନ ଉତ୍ସାହୀ ବ୍ୟକ୍ତି ନବମ ଓ ଦଶମ ଶ୍ରେଣୀ ବିଜ୍ଞାନ ବହିରୁ ଡାରୱିନ୍ଙ୍କ ବିକାଶ ସିଦ୍ଧାନ୍ତକୁ ହଟାଇ ଦେବାକୁ ନିନ୍ଦା କରି ଏନ୍ସିଇଆର୍ଟିକୁ ଲେଖାଯାଇଥିବା ଏକ ଚିଠିରେ ଦସ୍ତଖତ କରିଛନ୍ତି।
ବ୍ରେକ୍ଥ୍ରୁ ସାଇନ୍ସ ସୋସାଇଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ‘କୋର୍ସ ରୁ ଥିଓରି ଅଫ୍ ଇଭୋଲ୍ୟୁଏସନ ହଟାଇବା ବିରୋଧରେ ଏକ ଆବେଦନ’ ଶୀର୍ଷକ ଏକ ଚିଠି ରହିଛି। ଏଥିରେ ଭାରତୀୟ ବିଜ୍ଞାନ ସଂସ୍ଥାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଓ ଭାରତୀୟ ପ୍ରୁଯୁକ୍ତିବିଦ୍ୟା ସଂସ୍ଥାନ ଭଳି ବଡ଼ ବଡ଼ ବୈଜ୍ଞାନିକ ସଂସ୍ଥା ପ୍ରତିନିଧିମାନଙ୍କ ଦ୍ୱାରା ଦସ୍ତଖତ କରାଯାଇଛି। ଡାରୱିନଙ୍କ ତତ୍ତ୍ୱକୁ ପାଠ୍ୟପୁସ୍ତକରୁ ହଟାଇବା ଶିକ୍ଷା ପ୍ରତି ଏକ ଉପହାସ ବୋଲି ବୈଜ୍ଞାନିକମାନେ କହିଛନ୍ତି।