ପରଲୋକରେ ପ୍ରକାଶ ସିଂ ବାଦଲ, ଶ୍ରଦ୍ଧାଞ୍ଜଳି ଦେବାକୁ ଚଣ୍ଡିଗଡ଼ ଯିବେ ପ୍ରଧାନମନ୍ତ୍ରୀ
ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଞ୍ଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ଓଏଲ୍ ବ୍ୟୁରୋ: ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ। ତାଙ୍କ ମୃତ୍ୟୁ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ୨ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯାଉଛି। ତେବେ ପ୍ରକାଶ ସିଂହ ବାଦଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ ସିଂ ବାଦଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଚଣ୍ଡିଗଡ଼ ଯିବେ ପ୍ରଧାନମନ୍ତ୍ରୀ।
ଭଟିଣ୍ଡା ମୋହାଲରି ବାଦଲ ଗାଁରେ ପ୍ରକାଶ ସିଂ ବାଦଲଙ୍କ ଅନ୍ତିମ ସଂସ୍କାର ହେବ। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୧୯୨୭ରେ ସେ ଜନ୍ମଗ୍ରହଣ କରିଥିଲେ। ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଞ୍ଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତବର୍ଷ ଜୁନରେ ବି ହସପିଟାଲରେ ଭର୍ତ୍ତି ହୋଇଥିଲେ।ଗତ ଜାନୁଆରୀରେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ପ୍ରକାଶ ସିଂ ବାଦଲ ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୪୭ରେ ରାଜନୀତିରେ ପାଦ ଥାପିଥିବା ପ୍ରକାଶ ସିଂ ବାଦଲ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ। ୧୯୬୯ରେ ସେ ନିର୍ବାଚନ ଜିତିଥିଲେ। ଗତବର୍ଷ ବିଧାନସଭା ନିର୍ବାଚନ ଲଢି ହାରିଯାଇଥିଲେ ପ୍ରକାଶ ସିଂହ ବାଦଲ।