Odisha Link
Bridging the Missing Links in Odisha

ଜାରି ହେଲା ବିଜ୍ଞପ୍ତି, ଜୁନ ୨୩ରୁ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା

ମେ ୧୧ ଓ ୧୨ ତାରିଖରେ ଛାତ୍ରଛାତ୍ରୀ ଫର୍ମରେ ସଂଶୋଧନ କରିବେ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ଏକକ ପିଜି ନାମଲେଖା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷର ଏକକ ପିଜି ପ୍ରବେଶିକା ଜୁନ୍ ୨୩ରୁ ଆରମ୍ଭ ହୋଇ ଜୁଲାଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଆବେଦନ ପ୍ରକ୍ରିୟା ମେ’ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ। ମେ ୧୧ ଓ ୧୨ ତାରିଖରେ ଛାତ୍ରଛାତ୍ରୀ ଫର୍ମରେ ସଂଶୋଧନ କରିବେ। ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଜୁନ୍ ୯ ତାରିଖରେ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଏସଏସବି ଦ୍ୱାରା ପରୀକ୍ଷା ପରିଚାଳନା ହେବାକୁ ଥିବା ବେଳେ ୧୬ ଜୁଲାଇ ସୁଦ୍ଧା ଓକାକ୍ ପିଲାଙ୍କ ପରୀକ୍ଷା ମାର୍କ ଏସଏସବି ନିକଟରେ ଦାଖଲ କରିବ। ସେହିପରି ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ନାତକ ମାର୍କ ଅପଲୋଡ୍ ହେବ।

ନାମଲେଖା ପ୍ରକ୍ରିୟା ତ୍ୱରିତ ସାରିବା ଓ ଶିକ୍ଷାବର୍ଷ ଅନୁଯାୟୀ ପିଲାଙ୍କ ନାମଲେଖା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଥିବାବେଳେ ଚଳିତ ବର୍ଷର ନାମଲେଖା ପ୍ରକ୍ରିୟା ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରବେଶିକାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ୍ ଆବଣ୍ଟନ କରାଯିବ। ମାତ୍ର ଚଳିତ ବର୍ଷ କ୍ୟାରିୟର ମାର୍କ ପାଇଁ କେବଳ ସ୍ନାତକକୁ ଗ୍ରହଣ କରାଯିବ। ପୂର୍ବ ବର୍ଷ ଭଳି ମାଟ୍ରିକରୁ ସ୍ନାତକ ଯାଏଁ ମାର୍କକୁ ବିଚାରକୁ ନିଆଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ ସୂଚନା ଦେଇଛି। ତେବେ ପିଜି ପ୍ରବେଶିକା ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ୱେବସାଇଟ୍‌ରୁ ସମସ୍ତ ତଥ୍ୟ ପାଇ ପାରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସମ୍ପୂର୍ଣ ବିବରଣୀ ଦିଆଯାଇଛି।

Leave A Reply

Your email address will not be published.