ଓବିସି ସର୍ଭେକୁ ନେଇ ବିଜେପିକୁ ଜବାବ ଦେଲେ ମନ୍ତ୍ରୀ ଜଗନ୍ନାଥ ସାରକା
କିଏ କ’ଣ ଅଭିଯୋଗ କଲେ ସେଥିରେ କିଛି ନାହିଁ ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ। ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ପଛୁଆ ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଥିଲା। ପଛୁଆ ବର୍ଗ ସର୍ଭେକୁ ନେଇ ବିଜେପି ଅଭିଯୋଗ ଉପରେ ମନ୍ତ୍ରୀ ଜବାବ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଆଜିଠୁ ଆରମ୍ଭ ହୋଇଥିବା ସର୍ଭେ ଆସନ୍ତା ୨୭ ତାରିଖ ଯାଏଁ ଚାଲିବ। ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହେଉଛି। ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରନ୍ତୁ। କିଏ କ’ଣ ଅଭିଯୋଗ କଲେ ସେଥିରେ କିଛି ନାହିଁ ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।
ଖବର ଅନୁସାରେ, ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ପଛୁଆ ବର୍ଗ ସର୍ଭେକୁ ନେଇ ବିଜେପିର ସୁରଥ ବିଶ୍ୱାଳ କହିଥିଲେ, ରାଜ୍ୟରେ କେତେ ଜାତି ଅଛନ୍ତି, ତାହାର ତାଲିକା ଚୂଡାନ୍ତ କରନ୍ତୁ ରାଜ୍ୟ ସରକାର। କେଉଁ କେଉଁ ଜାତି ଏସଇବିସି ତାଲିକାରେ ଅଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍। କେନ୍ଦ୍ର ଓବିସି ତାଲିକାରେ ଥିବା ୧୪ଟି ଜାତି, ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି। ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର। ପଛୁଆ ବର୍ଗଙ୍କ ଅକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି। ଏସଇବିସି ତାଲିକାରେ ଅନେକ ଜାତିର ନା ନାହିଁ କିନ୍ତୁ କେନ୍ଦ୍ର ଓବିସି ତାଲିକାରେ ଅଛି। କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସଇବିସି ତାଲିକାରେ ରହିବା କଥା।
୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସିରୁ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛି ବିଜେପି। ପ୍ରଦୀପ ଜେନା ନଜାଣି ମିଛ କହିଲେ, ନା ବିଭ୍ରାନ୍ତି କରିବାକୁ ମିଛ କହିଲେ, ନା ରାଜ୍ୟର ୫୪ ଭାଗ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କଲା ବିଜେପି।
ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ଏକ ପ୍ରହସନ ଓ ପ୍ରବଞ୍ଝନା ବୋଲି କହିଛି ବିଜେପି। କେବଳ ଲୋକଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବାକୁ ଏଭଳି ପ୍ରହସନ ଚାଲିଥିବା କହିଥିଲେ ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ।