ସମ୍ବଲପୁର: ଆଜି ହିଂସାକାଣ୍ଡ ଅଞ୍ଚଳକୁ ଯିବେ ବିଜେପିର କେନ୍ଦ୍ରୀୟ ଟିମ୍
![](https://www.odishalink.com/wp-content/uploads/2023/05/Sambalpur-Vilonce.jpg)
ସମ୍ବଲପୁର: ସମ୍ବଲପୁର ହିଂସାକାଣ୍ଡ ପରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଯିବେ ଭାରତୀୟ ଜନତା ପାର୍ଟିର ୪ ଜଣିଆ କେନ୍ଦ୍ରୀୟ ଟିମ୍। ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଁଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ବିଜେପିର ଜଣିଆ ଟିମ୍ ଗତକାଲି ଝାରସୁଗୁଡ଼ାରେ ପହଁଞ୍ଚିଛନ୍ତି।
ଆଜି ଏହି ଟିମ୍ ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବ। ଏହାସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେମାନେ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ଦେବେ। ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି ବିଜେପିର କେନ୍ଦ୍ରୀୟ ଟିମ୍। ବ୍ରିଜଲାଲ କହିଛନ୍ତି, ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା। ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି, ଆଉ ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା।
ଅନ୍ୟପଟେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରୁଛି ବିଜେପି। ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ବଲପୁର ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍। ଶାନ୍ତି ଫେରୁଥିବା ବେଳେ ଆଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ନହେଉ ବୋଲି ବିଜେଡି କହିଛି।