ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ମକଡ୍ରିଲ୍ କଲା ବାୟୁସେନା
ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ମହାମହିମ।
![](https://www.odishalink.com/wp-content/uploads/2022/11/Draupadi-Murmu-750x430.jpg)
ଓଏଲ୍ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ଦିନକ ପରେ ନିଜ ଗାଁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା। ରାଷ୍ଟ୍ରପତି ନିଜ ଗାଁକୁ ଆସିବାକୁ ଥିବାରୁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର। ଏହା ପୂର୍ବରୁ ଶିମିଳିପାଳ ଅସ୍ଥାୟୀ ହେଲିପ୍ୟାଡରେ ମକଡ୍ରିଲ୍ କରୁଛି ବାୟୁସେନା। ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ମେ’ ୪ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି। ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ରାତିରେ ବାରିପଦା ଆସି ସର୍କିଟ୍ ହାଉସ୍ରେ ରହିବେ। ଏହି ସମୟରେ ନିଜ ଗାଁ ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ମହାମହିମ। ସ୍ୱାଗତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି।
ଆସନ୍ତା ୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ମେ’ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏସଏଲଏସ ବିଦ୍ୟାଳୟରେ ମହାମହିମଙ୍କ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀକୁ ନୂଆ ରଙ୍ଗ ରୂପ ଦିଆଯାଉଛି। ସମସ୍ତ ଗ୍ରାମବାସୀ ମହାମହିମଙ୍କ ସ୍ୱାଗତ ପାଇଁ କାମରେ ଲାଗି ପଡ଼ିଛନ୍ତି।