ଓଡ଼ିଶାରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ଆଶଙ୍କା, ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ବାତ୍ୟା ଆଶଙ୍କାରେ ସରକାର ପୂର୍ବ ପ୍ରସ୍ତୁତି ରହିବା ପାଇଁ ନିର୍ଦେଶ ଦେଇଛନ୍ତି।
![](https://www.odishalink.com/wp-content/uploads/2023/05/cyclon.jpg)
ଓଏଲ୍ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଘୂର୍ଣ୍ଣିବଳୟରୁ ବାତ୍ୟାର ରୂପ ନେଇପାରେ ବୋଲି ସମ୍ଭାବନା ରହିଛି। ତେବେ ଯଦି ବାତ୍ୟା ହୁଏ ତେବେ ଓଡ଼ିଶାରେ ଏହାର ପ୍ରଭାବ ରହିବ କି ନାହିଁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ବାତ୍ୟା ଆଶଙ୍କାରେ ସରକାର ପୂର୍ବ ପ୍ରସ୍ତୁତି ରହିବା ପାଇଁ ନିର୍ଦେଶ ଦେଇଛନ୍ତି।
ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରେସ୍ମିଟ୍ରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି, ପୂର୍ବରୁ ମେ’ରେ ବାତ୍ୟା ହେଉଥିବାରୁ, ଆମେ ପ୍ରସ୍ତୁତି କରିଛୁ। ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କାଲିଠାରୁ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲିଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆହୁରି ମଧ୍ୟ କହିଛନ୍ତି, ଓଡ୍ରାଫ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରହିଛନ୍ତି। ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା କୁହାଯାଇଛି। ପରବର୍ତ୍ତୀ ଅବସ୍ଥା କ’ଣ ହେବ ପାଣିପାଗ ବିଭାଗ ଆକଳନ କରିବ। ଆମେ ପ୍ରସ୍ତୁତ ରହିଛୁ, ଯଦି କିଛି ବି ହୁଏ, ଆମେ ମୁକାବିଲା କରିପାରିବୁ ବୋଲି ଏସଆରସି କହିଛନ୍ତି।